Categories: ଜାତୀୟ

ଶୁଟରଙ୍କୁ ଜାମିଆ ଛାତ୍ର କହିଥିଲେ, ଆସ କଥା ହେବା

ନୂଆଦିଲ୍ଲୀ, ୧ା୨ : ଦିଲ୍ଲୀର ଜାମିଆ ମିଲିଆ ଇସ୍‌ଲାମିଆ ୟୁନିଭର୍ସିଟି ନିକଟରେ ଗୁରୁବାର ଗୁଳିକାଣ୍ଡ ଘଟାଇଥିବା ନାବାଳକ ରାମଭକ୍ତ ଗୋପାଳଙ୍କୁ ଆକ୍ରମଣର ଶିକାର ହେବା ପୂର୍ବରୁ ଛାତ୍ର ଶାଦାବ ନଜାର କହିଥିଲେ, ରହିଯାଅ। ଆସ ବସି କଥା ହେବା। ହେଲେ ରାମଭକ୍ତ ତାଙ୍କ କଥା ନ ଶୁଣି ଗୁଳି ଚଳାଇଥିଲେ। ଶାଦାବଙ୍କ ହାତରେ ଗୁଳି ବାଜିଥିଲା। ରକ୍ତାକ୍ତ ଶାଦାବଙ୍କୁ ମିଧାତ୍‌ ନାମ୍ନୀ ଜଣେ ଛାତ୍ରୀ ଧରି ହୋଲି ଫାମିଲି ହସ୍ପିଟାଲକୁ ନେଇଥିଲେ।
ଗୁଳିକାଣ୍ଡ ବେଳର ଅନୁଭୂତି ସମ୍ପର୍କରେ ଶୁକ୍ରବାର ମିଧାତ୍‌ କହିଛନ୍ତି, ଆମେ ପୋଲିସ ବ୍ୟାରିକେଡ୍‌ ଆଡ଼କୁ ଯାଉଥିବାବେଳେ ଜଣେ କିଶୋର ହଠାତ୍‌ ସାମ୍ନାକୁ ଆସି ବନ୍ଧୁକ ବୁଲାଇଲେ। ଶାଦାବ ଆଗକୁ ଯାଇ ତାଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ। ଶାଦାବ ବନ୍ଧୁକ ତଳକୁ କରିବାକୁ ତାଙ୍କୁ ଦୁଇଥର କହିଥିଲେ। ସେ ଯେତେବେଳେ ତୃତୀୟଥର ପାଇଁ ତାଙ୍କୁ ଅନୁରୋଧ କଲେ ନାବାଳକ ତାଙ୍କୁ ଗୁଳି କରିଥିଲେ। ଗୁଳି ଫୁଟିବା ଶବ୍ଦ ଶୁଣିବା ପରେ ମୁଁ ଚକିତ ହୋଇ ଶାଦାବଙ୍କ ନିକଟକୁ ଦୌଡ଼ିଥିଲି। ତାଙ୍କ ହାତ ଧରି ହୋଲି ଫାମିଲି ହସ୍ପିଟାଲକୁ ନେଇଥିଲି। ବ୍ୟାରିକେଡ୍‌ ହଟାଇବା ପାଇଁ ପୋଲିସକୁ ବାରମ୍ବାର ଅନୁରୋଧ କରିଥିଲି। ହେଲେ ଶାଦାବ ତାଙ୍କ ଗୁଳିବିଦ୍ଧ ହାତ ନ ଦେଖାଇବା ଯାଏ ପୋଲିସ ବ୍ୟାରିକେଡ୍‌ ହଟାଇ ନ ଥିଲା। ଜଣେ ଫଟୋ ଜର୍ନାଲିଷ୍ଟ ହେବା ପାଇଁ ଲକ୍ଷ୍ୟ ରଖିଥିବା ଶାଦାବ ଦିଲ୍ଲୀରେ ସିଏଏ ବିରୋଧୀ ବିକ୍ଷୋଭ ନେଇ ଏକ ଡକ୍ୟୁମେଣ୍ଟାରି ନିର୍ମାଣ କରିବାକୁ ଚାହୁଁଥିଲେ। ଏଥିଲାଗି ସେଠାକୁ ବିବରଣୀ ସଂଗ୍ରହ ପାଇଁ ଯାଇଥିଲେ ବୋଲି ଛାତ୍ରୀ ଜଣକ କହିଛନ୍ତି। ଅନ୍ୟପକ୍ଷରେ ଏମ୍ସର ଟ୍ରମା କେୟାର ସେଣ୍ଟରରୁ ଶାଦାବଙ୍କୁ ଶୁକ୍ରବାର ଡିସ୍‌ଚାର୍ଜ କରାଯାଇଛି। ସେ ଶନିବାର ପରୀକ୍ଷା ଦେଇ ସାରିବା ପରେ ଜମ୍ମୁସ୍ଥିତ ତାଙ୍କ ଘରକୁ ଯିବା ପାଇଁ ଯୋଜନା କରିଥିବା ଜଣାପଡ଼ିଛି। ଗୁଳିକାଣ୍ଡ ଘଟାଇଥିବା ନାବାଳକଙ୍କୁ ୧୪ ଦିନିଆ ସୁରକ୍ଷାମତ୍କ ହାଜତ (ପ୍ରୋଟେକ୍ଟିଭ୍‌ କଷ୍ଟଡି)କୁ ପଠାଇ ଦିଆଯାଇଛି। ସେ ପ୍ରକୃତରେ ନାବାଳକ କି ନୁହନ୍ତି ତାହା ଯାଞ୍ଚ କରିବା ପାଇଁ ପୋଲିସ ରାମମନୋହର ଲୋହିଆ ହସ୍ପିଟାଲକୁ ବୋନ୍‌ ଓସିଫିକେଶନ ଟେଷ୍ଟ ଲାଗି ଆବେଦନ କରିଛି।

Share