ଶୁଚିସ୍ମିତା ମନ୍ତ୍ରୀ ହେଲେ ସାହିତ୍ୟ ଏକାଡେମୀ ସଚିବ

ଭୁବନେଶ୍ୱର,୨।୨(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ ଓଡ଼ିଶା ସାହିତ୍ୟ ଏକାଡେମୀର ନୂତନ ସଚିବ ଭାବେ ଦାୟିତ୍ୱ ନେଇଛନ୍ତି ଶୁଚିସ୍ମିତା ମନ୍ତ୍ରୀ। ପୂର୍ବତନ ସଚିବ ଡ. ଜୟନ୍ତୀ ରଥଙ୍କ କାର୍ଯ୍ୟକାଳ ଶେଷ ହୋଇଥିବାବେଳେ ଶନିବାର ନୂତନ ସଚିବଭାବେ ମନ୍ତ୍ରୀ କାର୍ଯ୍ୟରେ ଯୋଗଦେଇଛନ୍ତି। ପୂର୍ବାହ୍ନରେ ସଂସ୍କୃତି ଭବନସ୍ଥିତ ସାହିତ୍ୟ ଏକାଡେମୀ କାର୍ଯ୍ୟାଳୟରେ ତାଙ୍କୁ ଏକାଡେମୀ କର୍ମଚାରୀଙ୍କ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଶୁଚିସ୍ମିତା ମନ୍ତ୍ରୀ ପୂର୍ବରୁ ଓଡ଼ିଶା ରାଜ୍ୟ ଅଭିଲେଖାଗାର ଅଧୀକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ନିକଟରେ ଅଭିଲେଖାଗାରରେ ତାଙ୍କ କାର୍ଯ୍ୟକାଳ ଶେଷହେବା ପରେ ବିଭାଗ ପକ୍ଷରୁ ତାଙ୍କୁ ସାହିତ୍ୟ ଏକାଡେମୀ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି। ୨୦୧୮ ଜାନୁୟାରୀ ୨୯ରେ ଏକାଡେମୀର ପୂର୍ବତନ ସଚିବ ଅଶ୍ୱିନୀ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ଶେଷହେବା ପରେ ଡ. ଜୟନ୍ତୀ ରଥଙ୍କୁ ଭାରପ୍ରାପ୍ତ ସଚିବ ଭାବେ ଦାୟିତ୍ୱ ଦିଆଯାଇଥିଲା। ରାଜ୍ୟ ସଂଗ୍ରହାଳୟ ଅଧୀକ୍ଷକ ସହ ସେ ଏହି ଦାୟିତ୍ୱରେ ରହିଥିଲେ। ଜାନୁୟାରୀ ୩୧ରେ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଫେବୃୟାରୀ ୧ରୁ ମନ୍ତ୍ରୀଙ୍କୁ ନୂତନ ସଚିବ ଭାବେ ନିଯୁକ୍ତ କରାଯାଇଛି। ଅନ୍ୟପକ୍ଷରେ ଏକାଡେମୀର ଉପସଭାପତି ପଦବୀ ଏବେ ବି ଖାଲିପଡ଼ିଛି। ଦୀର୍ଘଦିନ ହେଲା ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ପଡ଼ିଥିଲେ ମଧ୍ୟ ଏହାକୁ ପୂରଣ କରିବା ଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ। ସେହିଭଳି ବର୍ତ୍ତମାନ ଏକାଡେମୀର ସଭାପତି ଥିବା ସାହିତି୍ୟକ ହରିହର ମିଶ୍ରଙ୍କ କାର୍ଯ୍ୟକାଳ ମଧ୍ୟ ୨୦୧୯ ମେ ୫ରୁ ଶେଷ ହେଲାଣି। ହେଲେ କେହି ନ ଥିବାରୁ ନୂତନ ନିଯୁକ୍ତି ଦିଆଯିବା ପର୍ଯ୍ୟନ୍ତ ତାଙ୍କୁ ଦାୟିତ୍ୱରେ ରଖାଯାଇଛି।