ଶୁକ୍ରବାର ପରଦାକୁ ଆସିବ ‘ବାଲା’: ଫିଲ୍ମ ଲାଗି ଓଜନ କମାଇବା ସହ ଲୁକ୍‌ ବଦଳାଇଛନ୍ତି ଆୟୁଷ୍ମାନ

ବମ୍ବେ: ସିନେମାରେ ଅଭିନୟ କରିବା ପୂର୍ବରୁ ଅଭିନେତା ଅଥବା ଅଭିନେତ୍ରୀ ନିଜକୁ ଉକ୍ତ ଭୂମିକାରେ ଢାଳିବାକୁ ଚେଷ୍ଟା କରିଥାନ୍ତି। ଫିଲ୍ମ ‘ପା’ରେ ବିଗ୍‌ ବି ଅମିତାଭ ବଚ୍ଚନ ଜଣେ ବାର ବର୍ଷୀୟ ବାଳକ ଭୂମିକାରେ ଅଭିନୟ କରି ସମସ୍ତଙ୍କୁ ଚକିତ କରିଥିଲେ। ସେହିଭଳି ‘ଦମ୍‌ ଲଗାକେ ହେଇସା’ରେ ଭୂମି ପେଡନେକର, ‘ତନ୍ନୁ ଓ୍ବେଡ୍‌ସ ମନ୍ନୁ’ରେ କଙ୍ଗନା ରାଣାଓ୍ବତ, ‘ବର୍ଫି’ରେ ପ୍ରିୟଙ୍କା ଚୋପ୍ରା ଆଦି ନିଜର ଲୁକ୍‌ରେ ପରିବର୍ତ୍ତନ ଆଣିଥିଲେ। ଏବେ ଫିଲ୍ମ ‘ବାଲା’ଲାଗି ଆୟୁଷ୍ମାନ ଖୁରାନ୍ନା ଏଭଳି କିଛି କରିଛନ୍ତି। ଏଥିରେ ତାଙ୍କୁ ଭିନ୍ନ ଲୁକ୍‌ରେ ଦେଖିବାକୁ ମିଳୁଛି। ଓଜନ କମାଇବା ସହ ଲଣ୍ଡା ଯୁବକ ଭାବେ ଦେଖାଯିବା ଲାଗି ସେ ପ୍ରୋସ୍ଥେଟିକ୍‌ର ସାହାରା ନେଉଥିଲେ।

ପୂର୍ବରୁ ଜଣେ କଲେଜ ଯାଉଥିବା ଯୁବକ, ପୋଲିସ ଅଫିସର ଭଳି ଭୂମିକାରେ ସେ ନଜର ଆସିଥିଲେ। ହେଲେ ‘ବାଲା’ ପାଇଁ ସେ ନିଜ ଲୁକ୍‌ରେ ପରିବର୍ତ୍ତନ ଆଣିଛନ୍ତି। ଫିଲ୍ମଟି ଶୁକ୍ରବାର ପରଦାକୁ ଆସିବାକୁ ଥିବା ବେଳେ ସବୁଥର ଭଳି ଏଥର ମଧ୍ୟ ଏହା ସୁପରହିଟ୍‌ ହେବ ବୋଲି ପ୍ରଶଂସକ ମତ ରଖୁଛନ୍ତି।

Share