Categories: ଖେଳ

ଶୀର୍ଷ ସ୍ଥାନ ହରାଇଲେ ବୁମରା

ଦୁବାଇ,୧୨।୨- ଭାରତୀୟ ପେସର ଯଶପ୍ରୀତ ବୁମରା ଏବେ ଖରାପ ଫର୍ମ ଦେଇ ଗତି କରୁଛନ୍ତି। ଏଥିଯୋଗୁ ତାଙ୍କୁ ଆଇସିସି ଦିନିକିଆ ବୋଲରଙ୍କ ର଼୍ୟାଙ୍କିଙ୍ଗ୍‌ର ଶୀର୍ଷ ସ୍ଥାନ ହରାଇବାକୁ ପଡ଼ିଛି। ସେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ର ପ୍ରତ୍ୟେକ ମ୍ୟାଚ ଖେଳିଥିଲେ। ହେଲେ ସେ ୩୦ ଓଭର ବୋଲିଂ କରି ୧୬୭ ରନ୍‌ ବ୍ୟୟ କରିଥିଲେ। କିନ୍ତୁ ଗୋଟିଏ ହେଲେ ଉଇକେଟ ନେବାରେ ସକ୍ଷମ ହୋଇ ନ ଥିଲେ। ଫଳରେ ନ୍ୟୁଜିଲାଣ୍ଡ ପେସର ଟ୍ରେଣ୍ଟ ବୋଲ୍ଟ ଆଇସିସି ବୋଲରଙ୍କ ର଼୍ୟାଙ୍କିଙ୍ଗ୍‌ରେ ଶୀର୍ଷ ସ୍ଥାନ ହାତେଇଛନ୍ତି। ବୁମରା ଦ୍ୱିତୀୟ ସ୍ଥାନରେ ଥିବାବେଳେ ଆଫଗାନିସ୍ତାନର ମୁଜିବ ଉର ରେହମାନ, ଦକ୍ଷିଣ ଆଫ୍ରିକାର କାଗିସୋ ରବାଡା ଓ ଅଷ୍ଟ୍ରେଲିଆର ପାଟ କୁମିନ୍ସ ରହିଛନ୍ତି। ଅନ୍ୟପକ୍ଷରେ ଭାରତୀୟ ଅଧିନାୟକ ବିରାଟ କୋହଲି ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ କୋହଲି ମାତ୍ର ୭୫ ରନ୍‌ କରିଥିଲେ। ଭାରତ ସମସ୍ତ ମ୍ୟାଚ୍‌ରେ ପରାସ୍ତ ହୋଇଥିଲା। ତାଙ୍କ ପଛକୁ ରହିଛନ୍ତି ଉପଅଧିନାୟକ ରୋହିତ ଶର୍ମା। ସେ ଆହତ ସମସ୍ୟା ଯୋଗୁ ସିରିଜ୍‌ରୁ ବାଦ୍‌ ପଡ଼ିଥିଲେ। ନ୍ୟୁଜିଲାଣ୍ଡର ଅଭିଜ୍ଞ ବ୍ୟାଟ୍ସମ୍ୟାନ ରସ ଟେଲର ଗୋଟିଏ ସୋପାନ ଉପରକୁ ଉଠି ଚତୁର୍ଥ ସ୍ଥାନ ହାସଲ କରିଛନ୍ତି। ଅଲରାଉଣ୍ଡଙ୍କ ତାଲିକାରେ ରବୀନ୍ଦ୍ର ଜାଡେଜା ୩ ସ୍ଥାନ ଉପରକୁ ଉଠି ୭ମ ସ୍ଥାନରେ ରହିଛନ୍ତି। ଜାଡେଜା ୬୩ ରନ୍‌ କରିବା ସହ ଦୁଇ ଉଇକେଟ ନେଇଥିଲେ। ଆଫଗାନିସ୍ତାନର ମହମ୍ମଦ ନବି ଶୀର୍ଷସ୍ଥାନ ଅଧିକାର କରିଛନ୍ତି।

Share