ଶୀତଳଷଷ୍ଠୀ ଯାତ୍ରା ଉଦ୍‌ଯାପିତ : ଦେବଦମ୍ପତିଙ୍କ ମନ୍ଦିର ପ୍ରବେଶ

ସମ୍ବଲପୁର, ୧୦।୬ (ବ୍ୟୁରୋ) : ଦେବଦେବ ମହାଦେବ ଓ ଜଗଜ୍ଜନନୀ ମାତା ପାର୍ବତୀ ସୁସଜ୍ଜିତ ବିମାନରେ ଉପବିଷ୍ଟ ହୋଇ ରବିବାର ଗୋଧୂଳି ଲଗ୍ନରେ ସ୍ବ ମନ୍ଦିର ପ୍ରବେଶ କରିଛନ୍ତି। ଜ୍ୟେଷ୍ଠ ଶୁକ୍ଲପକ୍ଷ ଯୁକ୍ତ ସପ୍ତମୀ ତିଥିରେ ପ୍ରସିଦ୍ଧ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା ଉଦ୍‌ଯାପିତ ହୋଇଛି। ମହିଳାମାନେ ଶୈବପୀଠ ମୁଖ୍ୟଦ୍ୱାରରେ ଝୋଟି ଆଙ୍କିଥିଲେ। ଛୋଟି ପୂର୍ଣ୍ଣକଳସ ସ୍ଥାପନ କରି ଦେବଦମ୍ପତିଙ୍କ ଫେରିବା ବାଟକୁ ଚାହିଁ ରହିଥିଲେ। ଶିବ ପାର୍ବତୀଙ୍କୁ ଭକ୍ତମାନେ କାନ୍ଧରେ ବୋହି ମନ୍ଦିର ବେଢ଼ାକୁ ଆଣିଥିଲେ। ଏହାପରେ ଶଙ୍ଖ, ଘଣ୍ଟ ଧ୍ୱନିରେ ମୁଖରିତ ହୋଇଥିଲା ଶିବାଳୟ। ମହିଳାଙ୍କ ହୁଳହୁଳି ଓ ପୁରୁଷମାନଙ୍କ ହରିବୋଲରେ ପ୍ରକମ୍ପିତ ହୋଇଥିଲା ଅଞ୍ଚଳ। ଦୁଲଦୁଲି ବାଦ୍ୟରେ ଦୁଲୁକି ଉଠିଥିଲା ମନ୍ଦିର ପ୍ରବେଶ ପଥ ା କାଠ ପିଢ଼ାରେ ନବ ବିବାହିତ ଦେବଦମ୍ପତି ଉପବିଷ୍ଟ ହୋଇଥିଲେ। ଉପସ୍ଥିତ ସମବେତ ମହିଳାମାନେ ଦୂବ, ଅରୁଆ ଚାଉଳ, ବୁରୋ ପତ୍ର, ଫୁଲ ବନ୍ଦାଣ କରି ମୁଣ୍ଡିଆ ମାରିଥିଲେ ା ଦେବଦମ୍ପତିଙ୍କ ପାଦ ଧୋଇ ଭକ୍ତମାନେ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ସମୟରେ ପଣ୍ଡିତଙ୍କ ଶିବସ୍ତୁତି ଉଚ୍ଚାରଣ ସହ ଶାନ୍ତିପାଠ, ପଞ୍ଚଗବ୍ୟ, ପଞ୍ଚାମୃତରେ ମହାଭିଷେକ ରୀତି ହୋଇଥିଲା। ଦେବଦମ୍ପତିଙ୍କୁ ୧୦୮ ଆଳତି କରି ମନ୍ଦିର ପ୍ରବେଶ ରୀତିନୀତି ହୋଇଥିଲା। ପରମ୍ପରା ଅନୁସାରେ ନନ୍ଦପଡା ଶ୍ରୀଶ୍ରୀ ବମ୍‌ବରାଡ ବାଲୁଙ୍କେଶ୍ୱର ବାବା, ଝାଡୁଆପଡା ଶ୍ରୀଶ୍ରୀ ଲୋକନାଥ ବାବା, ମୁଦିପଡା ଶ୍ରୀଶ୍ରୀ ଜାଗେଶ୍ୱର ବାବା, ବଡ଼ବଜାର ଶ୍ରୀଶ୍ରୀ ଶୀତଳେଶ୍ୱର ବାବା, ଠାକୁରପଡା ଶ୍ରୀଶ୍ରୀ ଗୁପ୍ତେଶ୍ୱର ବାବା ଓ ଜଗତ ଜନନୀ ପାର୍ବତୀ ଗଣ୍ଠାଳ ହୋଇ ଶନିବାର ମଧ୍ୟରାତ୍ରରୁ ସୁସଜ୍ଜିତ ବିମାନରେ ଆରୂଢ଼ ହୋଇ ନଗର ପରିକ୍ରମାରେ ବାହାରିଥିଲେ। ନିର୍ଦ୍ଧାରିତ ଯାତ୍ରାପଥରେ ଭକ୍ତମାନେ ଦେବଦମ୍ପତିଙ୍କୁ ବନ୍ଦାଣ ଓ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ। ରାତି ତମାମ ଶୋଭାଯାତ୍ରା ହୋଇଥିଲା। ସକାଳ ସାଢ଼େ ୫ଟାରୁ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିଥିଲା। କିନ୍ତୁ ଲକ୍ଷାଧିକ ଭକ୍ତ ବିମାନରେ ଉପବିଷ୍ଟ ଶିବପାର୍ବତୀଙ୍କୁ ଦୀପଦାନ କରି ପୂଜାର୍ଚ୍ଚନା କରିଥିଲେ। ରବିବାର ପ୍ରାୟ ପୂର୍ବାହ୍ନ ୧୦ଟାରେ ପୁଣି ସାଂସ୍କୃତିକ ଶୋଭାଯାତ୍ରା ଆରମ୍ଭ ହୋଇଥିଲା ା ନନ୍ଦପଡା ଯାତ୍ରା ସାନସଡ଼କ, ଝାଡୁଆପଡା ଯାତ୍ରା ବୈଦ୍ୟନାଥ ଛକରୁ ଗେଟି ରୋଡ, କୁଞ୍ଜେଲପଡା ଛକ, ମୁଦିପଡା ଯାତ୍ରା ଲକ୍ଷ୍ମୀଟକିଜ ଛକରୁ ଗୋଲବଜାର ରାସ୍ତା, ବଡବଜାର ଯାତ୍ରା କ୍ଷେତରାଜପୁର, ଫାର୍ମରୋଡ ଓ ଠାକୁରପଡା ଯାତ୍ରା ବୁଢ଼ାରଜା ମୁଖ୍ୟରାସ୍ତା ଦେଇ ଗୋପାଳମାଲ ପରିକ୍ରମା କରି ସ୍ବମନ୍ଦିର ପ୍ରବେଶ କରିଥିଲା। ଅତିଥି କଳାକାରମାନେ ନିରବଚ୍ଛିନ୍ନ ଭାବେ ନୃତ୍ୟ ଗୀତ ଓ ବିବିିଧ ସାଂସ୍କୃତିକ କାଯର୍‌ୟକ୍ରମ ପରିବେଷଣ କରି ଯୁବତୀ ଯୁବକଙ୍କୁ ଆକୃଷ୍ଟ କରିଥିଲେ। ସେହିପରି ଲୋକବାଦ୍ୟ ଓ ରେକର୍ଡ ଡ୍ୟାନ୍ସ ତାଳରେ ଭକ୍ତମାନେ ଯାତ୍ରା ପଥରେ ନୃତ୍ୟ କରି ମସଗୁଲ ହୋଇଥିଲେ। ଅପରପକ୍ଷେ ସମବେତ କିନ୍ନରମାନେ ଦେବଦମ୍ପତିଙ୍କୁ ମୁଣ୍ଡିଆ ମାରି ଗନ୍ତବ୍ୟ ସ୍ଥଳକୁ ଚାଲିଯାଇଛନ୍ତି।