ଶିଶୁବଳି ସନ୍ଦେହରେ ଉତ୍ତେଜନା ଘଟଣା: କାର୍ଯ୍ୟାନୁଷ୍ଠାନ ଦାବିରେ ଏସ୍‌ପି ଅଫିସ ଘେରିଲେ

ବଲାଙ୍ଗୀର ଅଫିସ, ୨୮ା୫: ବଲାଙ୍ଗୀର ସହର ଚିମିନିଭାଟିପଡା-ଲକ୍ଷ୍ମୀନଗରପଡା ପାଖ ଲକ୍ଷ୍ମୀଯୋର ଭିତରୁ ଗତ ଶୁକ୍ରବାର ରାତିରେ ଜଣେ ନିଖୋଜ ୫ ବର୍ଷର ଶିଶୁର ମୃତଦେହ ମିଳିଥିଲା । ଏହି ଘଟଣାକୁ ପରବର୍ତ୍ତୀ ସମୟରେ ବଳି ସନ୍ଦେହ କରାଯାଇଥିଲା । ସେହି ପଡାରେ ଥିବା ଜଣେ କାଳୀ ସାଧକଙ୍କ ଉପରେ ମୃତଶିଶୁର ପରିବାର ଲୋକେ ସନ୍ଦେହ ପ୍ରକଟ କରିଥିଲେ । ଏହି ଘଟଣାକୁ ନେଇ ପଡାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଫଳରେ ଟାଉନ୍‌ ପୋଲିସ ପଡାରେ ଶୁକ୍ରବାର ରାତିରୁ ପୋଲିସ ଫୋର୍ସ ମୁତୟନ କରିଥିଲେ । ଏହି ବଳି ସନ୍ଦେହ ଘଟଣା ଓ ଏହା ପରବର୍ତ୍ତୀ ଉତ୍ତେଜନାକୁ ନେଇ ମୃତ ଶିଶୁର ପରିବାର ଓ ଉକ୍ତପଡାର ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ମଙ୍ଗଳବାର ପୂର୍ବାହ୍ନରେ ସାମାଜିକ କର୍ମୀ ଲଳିତ କୁମାର ନାୟକଙ୍କ ନେତୃତ୍ୱରେ ପଡାର ବହୁ ମହିଳା ଓ ପୁରୁଷ ଏସପି ଅଫିସକୁ ଆସି ଘେରାଉ କରିଥିଲେ। ଏସପି କେ ଶିବା ସୁବ୍ରମଣିଙ୍କୁ ଭେଟି ଘଟଣା ନେଇ ଆଲୋଚନା କରିବା ସହ ଉଚିତ୍‌ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଏସପି ସୁବ୍ରମଣି ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ଏହାପରେ ଏସଡିପିଓ ଶ୍ରୀମନ୍ତ ବାରିକଙ୍କୁ ପଡାବାସୀଙ୍କ ସନ୍ଦେହ ଦୂର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ଏସଡିପିଓ ବାରିକ ଓ ଅନ୍ୟ କିଛି ଅଧିକାରୀ ଓ ପଡାର ଦୁଇଜଣ ଲୋକ କାଳୀସାଧକ କୁହାଯାଉଥିତ୍ବା ନିର୍ଦ୍ଦିଷ୍ଟ ଘରକୁ ଯାଇ ଦେଖିଥିଲେ । ଏ ନେଇ ଏସ୍‌ଡିପିଓ ବାରିକଙ୍କୁ ପଚରାଯିବାରୁ ମୃତ ଶିଶୁର ବ୍ୟବଚ୍ଛେଦ ରିପୋର୍ଟ ଆସିସାରିଛି । ଉକ୍ତ ରିପୋର୍ଟରେ ପାଣିରେ ବୁଡିଯାଇ ଶିଶୁର ମୃତ୍ୟୁ ହୋଇଥିତ୍ବା ଉଲ୍ଲେଖ ରହିଛି । ମାତ୍ର କେତେକ ଲୋକ ଅଯଥାରେ ଏହି ଘଟଣାକୁ ବଳି ସନ୍ଦେହ କରୁଛନ୍ତି। ଯାହାଙ୍କ ଉପରେ ଲୋକେ ସନ୍ଦେହ କରୁଥିଲେ ତାଙ୍କ ଘରକୁ ଯାଇ ଛାନଭିନ ପରେ ସେଠାରେ କିଛି ବି ସନ୍ଦେହଜନକ ସ୍ଥିତି ନାହିଁ ବୋଲି କହିଥିଲେ । ତେବେ ଶିଶୁମୃତ୍ୟୁର ଅଧିକ ତଦନ୍ତ କରିବା ପାଇଁ ତାର ଭିସେରାକୁ ବମ୍ବେ ପଠାଯାଇ ଡାଇଟମ୍‌ ପରୀକ୍ଷା କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।