ଶିଳ୍ପ ବିକାଶ ଚିନ୍ତା

ଦିନ ଥିଲା କଳାହାଣ୍ଡି ଏକ ଶିଳ୍ପସମୃଦ୍ଧ ଜିଲା ଭାବେ ପରିଚିତ ଥିଲା। ହେଲେ ବିଭିନ୍ନ କାରଣରୁ ଗୋଟିଏ ପରେ ଗୋଟିଏ ଶିଳ୍ପ ବନ୍ଦ ହୋଇଗଲା। ଜୁନାଗଡ଼ ନିକଟସ୍ଥ ମଥୁରାଠାରେ ସ୍ଥାପିତ ଚିନିକଳ ବନ୍ଦ ହେବା ପରେ ଏହି ଶିଳ୍ପ ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିର୍ଭର କରୁଥିବା ଲୋକମାନେ ଆର୍ଥିକ ଅନଟନ ମଧ୍ୟରେ ଗତି କରୁଛନ୍ତି। ଆଖୁ ଚାଷୀମାନେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। କେସିଙ୍ଗା ସୂତାକଳ ମଧ୍ୟ ବନ୍ଦ ହୋଇଯାଇଛି। ଜିଲାରେ ଉନ୍ନତମାନର କପା ଚାଷ ହେଉଛି। କଳାହାଣ୍ଡିର କପା ରାଜ୍ୟ ବାହାରେ ‘ଧଳା ସୁନା’ ବୋଲି ପରିଚିତ। ହେଲେ ସୂତାକଳ ବନ୍ଦ ଯୋଗୁ କପାଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି। କେସିଙ୍ଗାଠାରେ ପ୍ରସ୍ତାବିତ କାଗଜକଳ ସ୍ବପ୍ନ ହୋଇ ରହିଯାଇଛି। ଏଥିପାଇଁ ଅଧିଗ୍ରହଣ କରାଯାଇଥିବା ଜମି ଏବେ ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। ଏସବୁ ଶିଳ୍ପର ପୁନରୁଦ୍ଧାର ତ ଦୂରର କଥା କିଛିଦିନ ପୂର୍ବେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶିଳାନ୍ୟାସ ହୋଇଥିବା ପାର ବଏଲ ରାଇସ ମିଲର କାର୍ଯ୍ୟ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇପାରୁନାହିଁ। ଜୁନାଗଡ଼ ବ୍ଲକ ଗୌଡ଼ସର୍ଗିଗୁଡ଼ା ନିକଟସ୍ଥ ପୁରୁଣା ଚିନିକଳଠାରେ ୨୦୧୬ ନଭେମ୍ବର ୧୬ରେ ମୁଖ୍ୟମନ୍ତ୍ରୀ ୩ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସେଗୁଡ଼ିକ ହେଲା ପାର ବଏଲ ରାଇସ ମିଲ, ୨୦୩ ମେଗାୱାଟ୍‌ କ୍ଷମତା ସମ୍ପନ୍ନ ବାୟୋମାସ୍କ ପାୱାର ପ୍ରୋଜେକ୍ଟ ଓ ସମନ୍ବିତ ଗ୍ରେନ୍‌ ବେସ ଡିଷ୍ଟ୍ରିଲାରି ପ୍ରକଳ୍ପ। ନୂତନ ପ୍ରକଳ୍ପ ହେବ ଓ ଅଞ୍ଚଳର ଲୋକଙ୍କୁ କାମ ମିଳିବ ବୋଲି ଜିଲାବାସୀ ଆଶା କରିଥିଲେ। ଭିତ୍ତିପ୍ରସ୍ତର ସ୍ଥାପନ ହେବାର ଇତିମଧ୍ୟରେ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପ୍ରକଳ୍ପ କାମ ଆରମ୍ଭ ହୋଇପାରିନାହିଁ। ଉପରୋକ୍ତ ପ୍ରକଳ୍ପ ପାଇଁ ଜନଶୁଣାଣି ହୋଇଥିଲା। ଦୀର୍ଘଦିନରୁ ବନ୍ଦ ପଡ଼ିଥିବା ଏହି ଶିଳ୍ପର ପୁନଃ କାର୍ଯ୍ୟକ୍ଷମ ନେଇ ଜିଲାବାସୀଙ୍କ ମଧ୍ୟରେ କିଛିଟା ଆଶାସଞ୍ଚାର ହୋଇଥିଲା। ଏହି ୩ଟି ପ୍ରକଳ୍ପ ପାଇଁ ୩୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିଥିଲା। ଏବେ ଜୁନାଗଡ଼ ବିଧାୟକ କ୍ୟାପ୍‌ଟେନ ଦିବ୍ୟଶଙ୍କର ମିଶ୍ର ଶିଳ୍ପ ଓ ଏମ୍‌ଏସ୍‌ଏମ୍‌ଇ ବିଭାଗ ମନ୍ତ୍ରୀ। ସେ କଳାହାଣ୍ଡି ଜିଲା ଶିଳ୍ପର ବିକାଶ ଉପରେ ଗୁରୁତ୍ୱ ଦେବାକୁ ବୁଦ୍ଧିଜୀବୀମାନେ ଅନୁରୋଧ କରିଛନ୍ତି।
– ସଞ୍ଜୀବ କୁମାର ଯୋଷୀ