ଶିଳାନ୍ୟାସରେ ଅଟକିଛି ରାସ୍ତା : ଯାନବାହନ ଚଳାଚଳ ବ୍ୟାହତ

ରାଇକିଆ,୨୧ା୯(ଡ଼ି.ଏନ.ଏ): କନ୍ଧମାଳ ଜିଲା ରାଇକିଆ ବ୍ଲକର ସବୁଠାରୁ ଦୁର୍ଗମ କରଡ଼ା, ରଣବା, ଇନ୍ଦ୍ରଗଡ଼, ବଡ଼ବାରବା ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତା ଦୀର୍ଘଦିନ ହେଲା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଘାଟି ରାସ୍ତା ଧୋଇ ଯାଇଥିବା ଏବଂ ବିଭିନ୍ନ ସ୍ଥାନରେ ମେଟାଲ ଉଠି ଯାଇଥିବାରୁ କୌଣସି ଯାନବାହନ ଚଳାଚଳ କରି ପାରୁନାହିଁ। ଯେଉଁ ଗୋଟିଏ ଦୁଇଟି ବସ ଚଳାଚଳ କରୁଥିଲା ରାସ୍ତା ଖରାପ ଦର୍ଶାଇ ତାହା ମଧ୍ୟ ବନ୍ଦ ହୋଇଯାଇଛି। ତେଣୁ ଏସବୁ ଅଞ୍ଚଳବାସୀଙ୍କ ପାଇଁ ଏବେ କେବଳ ଅଟୋ ଭରସା। ଗାର୍ଡ଼ଓ୍ବାଲ ନ ଥିବାରୁ ବିପଦପୂର୍ଣ୍ଣ ଅବସ୍ଥାରେ କରଡ଼ା ଘାଟିରେ ଯାତାୟତ କରିବାକୁ ପଡ଼ୁଛି। ଗତ ନିର୍ବାଚନ ପୂର୍ବରୁ ଏହି ରାସ୍ତାର ଉନ୍ନତୀକରଣ ପାଇଁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସ୍ଥାନିତ କରାଯାଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଗତ ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ତତ୍କାଳୀନ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଦ୍ୱାରା ଏହି ରାସ୍ତାର ଶିଳାନ୍ୟାସ କରାଯାଇଥିଲା। ତେବେ ୬ ମାସରୁ ଉର୍ଦ୍ଧ୍ୱ ଦିନ ବିତି ଯାଇଥିଲେ ମଧ୍ୟ ରାସ୍ତା କାମ ଆରମ୍ଭ ହୋଇପାରିନାହିଁ। କାମ ବିଳମ୍ବ ଯୋଗୁ ବିଭିନ୍ନ କାମରେ ରାଇକିଆ ସହରକୁ ଆସିବାକୁ ଲୋକେ ଅସୁବିଧା ଭୋଗୁଛନ୍ତି। ଏ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ କହିଛନ୍ତି, ଉକ୍ତ ରାସ୍ତା କାମର ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ଖୁବଶୀଘ୍ର କାମ ଆରମ୍ଭ ହେବ।