Categories: ଜାତୀୟ

ଶିରିଡ଼ି ବନ୍ଦକୁ ଶିବସେନା ଏମ୍‌ପିଙ୍କ ସମର୍ଥନ

ଶିରିଡ଼ି,୨୦ା୧(ପି.ଟି.): ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ବିବାଦ ପରେ ରବିବାର ମହାରାଷ୍ଟ୍ରର ଶିରିଡ଼ି ସହର ବନ୍ଦ ରହିବା ସହ ଗାଡ଼ିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ତେବେ ମନ୍ଦିର ଖୋଲାରହିବା ସହ ପୂଜା ନୀତି ଚାଲିଥିଲା। ଶିରିଡ଼ି ବନ୍ଦକୁ ଶିବସେନାର ଜଣେ ଏମ୍‌ପି ସମର୍ଥନ ଜଣାଇଛନ୍ତି। ସାଇବାବାଙ୍କ ଜନ୍ମସ୍ଥାନ ଶିରିଡ଼ି ନୁହେଁ ପରଭଣିର ପଥ୍‌ରୀ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ କହିବା ସହ ଉକ୍ତ ସ୍ଥାନର ବିକାଶ ପାଇଁ ୧୦୦ କୋଟି ଟଙ୍କାର ଅନୁଦାନ ଘୋଷଣା କରିବା ପରେ ଏହାକୁ ନେଇ ବିବାଦ ଦେଖାଦେଇଛି। ଠାକ୍‌ରେ ତାଙ୍କ ମନ୍ତବ୍ୟ ଫେରାଇନିଅନ୍ତୁ ବୋଲି ଶିରିଡ଼ି ଜନସାଧାରଣ ଓ ସ୍ଥାନୀୟ ନେତାମାନେ ଦାବି କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ସୋମବାର ମୁମ୍ବାଇରେ ଏକ ବୈଠକ ଡାକିଛନ୍ତି। ବନ୍ଦକୁ ସମର୍ଥନ କରି ଶିବସେନାର ଲୋକ ସଭା ସଦସ୍ୟ ସଦାଶିବ ଲୋଖଣ୍ଡେ କହିଛନ୍ତି, ସେ ପ୍ରଥମେ ସାଇଭକ୍ତ ଓ ପରେ ଏମ୍‌ପି। ସାଇବାବାଙ୍କୁ ୧୬ ବର୍ଷ ହୋଇଥିବାବେଳେ ସେ ଶିରିଡ଼ି ଆସିଥିଲେ। ସେ ତାଙ୍କର ଜାତି କି ଧର୍ମ ସମ୍ପର୍କରେ କାହାକୁ କହିନାହାନ୍ତି। ତେଣୁ ତାଙ୍କ ଜନ୍ମସ୍ଥାନକୁ ନେଇ ବିବାଦ ସୃଷ୍ଟି କରାଯିବା ଠିକ୍‌ ନୁହେଁ ବୋଲି ସଦାଶିବ କହିଛନ୍ତି।

Share