Categories: ଜାତୀୟ

ଶିବକୁମାରଙ୍କ ଇଡି ରିମାଣ୍ଡ ବଢ଼ିଲା

ନୂଆଦିଲ୍ଲୀ,୧୪ା୯(ପି.ଟି.): କର୍ନାଟକ କଂଗ୍ରେସର ବରିଷ୍ଠ ନେତା ଡି.କେ. ଶିବକୁମାରଙ୍କ ଇଡି ରିମାଣ୍ଡ ଅବଧିକୁ ଦିଲ୍ଲୀର ଏକ ଅଦାଲତ ୧୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ହାଜତରେ ଅଧିକ ଜେରାର ଆବଶ୍ୟକତା ଥିବା ଦର୍ଶାଇ ରିମାଣ୍ଡ ଅବଧି ୫ ଦିନ ବଢ଼ାଇବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଆବେଦନ କରାଯାଇଥିଲା। ୩ ତାରିଖରେ ଗିରଫ ହୋଇଥିବା ଶିବକୁମାରଙ୍କୁ ଇଡି ପ୍ରଥମେ ୯ ଦିନ ରିମାଣ୍ଡରେ ନେଇଥିଲା। ଅବଧି ପୂରଣ ହେବା ପରେ ତାଙ୍କୁ ଆଜି ସ୍ବତନ୍ତ୍ର ବିଚାରପତି ଅଜୟ କୁମାର କୁହରଙ୍କ କୋର୍ଟରେ ହାଜର କରାଯାଇଥିଲା।
୨୦୧୭ରେ ଆୟକର ବିଭାଗ ଶିବକୁମାରଙ୍କ ୪୨୯ କୋଟି ଟଙ୍କାର ଅଘୋଷିତ ସମ୍ପତ୍ତି ଠାବ କରିଥିଲେ। ତେବେ ଇଡି ତଦନ୍ତରୁ ତାଙ୍କ ସମ୍ପତ୍ତି ପରିମାଣ ୧୦୦୦ କୋଟି ଟଙ୍କା ବୋଲି ଜଣାପଡିଛି। ୩୧୭ ବ୍ୟାଙ୍କ ଆକାଉଣ୍ଟରେ ଶିବକୁମାରଙ୍କର ୨୦୦ କୋଟି ଟଙ୍କା ରହିଥିବା ବେଳେ ୮୦୦ କୋଟି ଟଙ୍କାର ବେନାମୀ ସମ୍ପତ୍ତି ରହିଥିବା ଇଡି ଜାଣିବାକୁ ପାଇଛି। ଗୁରୁବାର ତାଙ୍କ ଝିଅ ଐଶ୍ୱର୍ଯ୍ୟାଙ୍କୁ ମଧ୍ୟ ଇଡି ଅଧିକାରୀମାନେ ୭ ଘଣ୍ଟା ଜେରା କରିଥିଲେ।

Share