ଶିଖ୍‌ ସମ୍ପ୍ରଦାୟକୁ ସମ୍ମାନିତ କରିବା ଲାଗି ଆମେରିକା ସିନେଟରେ ପ୍ରସ୍ତାବ ଗୃହୀତ

ଓ୍ବାଶିଂଟନ,୧୭ା୧୧(ପି.ଟି.): ଶିଖ୍‌ ଧର୍ମଗୁରୁ ନାନକ ଦେବଙ୍କ ୫୫୦ତମ ଜନ୍ମବାର୍ଷିକୀ ଅବସରରେ ଏହାର ଐତିହାସିକ, ସାଂସ୍କୃତିକ ଓ ଧାର୍ମିକ ଗୁରୁତ୍ୱ ସମେତ ଆମେରିକାର ଅଭିବୃଦ୍ଧିରେ ଶିଖ୍‌ମାନଙ୍କ ଅବଦାନକୁ ସ୍ବୀକୃତି ଦେବା ଲାଗି ଆମେରିକା ସିନେଟରେ ଏକ ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି। ଇଣ୍ଡିଆନାର ରିପବ୍ଲିକାନ୍‌ ସିନେଟର ଟୋଡ୍‌ ୟଙ୍ଗ ଏବଂ ମେରିଲ୍ୟାଣ୍ଡର ଡେମୋକ୍ରାଟିକ୍‌ ସଦସ୍ୟ ବେନ୍‌ କାର୍ଡିନ ଏହି ପ୍ରସ୍ତାବ ଆଣିଥିଲେ। ଶିଖ୍‌ଧର୍ମ ଉପରେ ଏଭଳି ପ୍ରସ୍ତାବ ଗୃହୀତ ହେବା ଆମେରିକା ସିନେଟରେ ଏହା ପ୍ରଥମ ଘଟଣା। ପ୍ରସ୍ତାବରେ ଆମେରିକାକୁ ଅବଦାନ ଥିବା ୪ ଜଣ ଖ୍ୟାତନାମା ଶିଖ୍‌ଙ୍କ ନାମ ସ୍ଥାନ ପାଇଛି। ସେମାନେ ହେଲେ ପ୍ରଥମ ଏସୀୟ-ଆମେରିକୀୟ କଂଗ୍ରେସ ସଦସ୍ୟ ଦଲିପ ସିଂ ସୌଦ୍‌, ଫାଇବର୍‌ ଅପ୍‌ଟିକ୍ସର ଉଦ୍ଭାବକ ଡ. ନରିନ୍ଦର କପାନି, ଦିନାର ସିଂ ବୈଂସ ଏବଂ ରୋସା ପାର୍କସ୍‌ ଟ୍ରେଲବ୍ଲାଜର ପୁରସ୍କାର ବିଜେତା ଗୁରିନ୍ଦର ସିଂ ଖାଲସା। ଏହାବ୍ୟତୀତ ଗ୍ରାମୀ ପୁରସ୍କାର ବିଜେତା ଶିଖ୍‌ ମହିଳା ସ୍ନାତମ୍‌ କୌର, ନ୍ୟୁୟର୍କ ପୋଲିସରେ କାର୍ଯ୍ୟରତ ଗୁର୍‌ସୋଚ୍‌ କୌର ଏବଂ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ବର୍‌କେଲି ପ୍ରଫେସର ସୁପ୍ରିତ୍‌ କୌରଙ୍କୁ ସେମାନଙ୍କ ଅବଦାନ ଲାଗି ସ୍ବୀକୃତି ମିଳିଛି।

Share