ଶିକ୍ଷୟିତ୍ରୀଙ୍କୁ ମିଳିଲା କନ୍ୟା ସଜାଇବା ଦାୟିତ୍ୱ

ସିଦ୍ଧାର୍ଥନଗର,୨୮।୧: ଉତ୍ତର ପ୍ରଦେଶରେ ଶିକ୍ଷକମାନଙ୍କୁ ଏପର୍ଯ୍ୟନ୍ତ ଜନଗଣନା ଓ ନିର୍ବାଚନ ଭଳି କାର୍ଯ୍ୟରେ ନିୟୋଜିତ କରାଯାଇଥିବା କଥା ଜଣାଥିଲା। ହେଲେ ଏବେ ଉତ୍ତର ପ୍ରଦେଶର କେତେଜଣ ଶିକ୍ଷୟିତ୍ରୀଙ୍କୁ ବିବାହ ପାଇଁ ଯାଉଥିବା କନ୍ୟାଙ୍କୁ ସଜାଇବା ଦାୟିତ୍ୱ ମିଳିବା ଘଟଣା ଚର୍ଚ୍ଚାକୁ ଆସିଛି। ଏହି ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମଙ୍ଗଳବାର ଉତ୍ତର ପ୍ରଦେଶ ସିଦ୍ଧାର୍ଥନଗରରେ ହେବାକୁ ଥିବା ଏକ ସାମୁହିକ ବିବାହରେ କନ୍ୟାମାନଙ୍କୁ ସଜାଇବାର ଦାୟିତ୍ୱ ଶିକ୍ଷୟିତ୍ରୀଙ୍କୁ ଦିଆଯାଇଥିବା ସୂଚନା ମିଳିଛି। ଏହାକୁ ନେଇ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ କମେଣ୍ଟ ଦେଖିବାକୁ ମିଳିଛି। ସିଦ୍ଧାର୍ଥନଗର ଜିଲାର ନୌଗଡ ବ୍ଲକରେ ମଙ୍ଗଳବାର ହେବାକୁ ଥିବା ସାମୁହିକ ବିବାହରେ ପ୍ରାୟ ୧୮୪ କନ୍ୟାଙ୍କୁ ସଜାଇବାର ଦାୟିତ୍ୱ ୨୦ ଶିକ୍ଷୟତ୍ରୀଙ୍କୁ ଦିଆଯାଇଛି। ସେଠାକାର ଶିକ୍ଷା ଅଧିକାରୀ ଧ୍ରୁବ ପ୍ରସାଦ ତୋଗଲକି ଶାସନ ଢାଞ୍ଚାରେ ଏହି ଆଦେଶ ଜାରି କରିଥିବା କୁହାଯାଉଛି। ଏହି ୨୦ ଜଣିଆ ଶିକ୍ଷୟିତ୍ରୀଙ୍କ ତାଲିକାରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ଶିକ୍ଷା ସହାୟିକାଙ୍କ ନାଁ ରହିଛି। ଏହି ତାଲିକା ଜାରି ହେବା ପରେ ଶିକ୍ଷକଙ୍କ ବିଭିନ୍ନ ସୋସିଆଲ ମିଡିଆ ଗ୍ରୁପରେ ଏହା ଭାଇରାଲ ହେବାରେ ଲାଗିଲା। ଏହାପରେ କେତେଜଣ ୟୁଜର୍ସ ପ୍ରଶ୍ନ କଲେ, ତେବେ ବରଙ୍କୁ ସଜାଇବା ପାଇଁ ଏକ ଟିମ୍‌ ଗଠନ କରାଯାଇଛି ନା ନାହିଁ। ଅନ୍ୟ କେତେଜଣ ଲେଖିଛନ୍ତି ଏହା ହାଇକୋର୍ଟଙ୍କ ନିର୍ଦ୍ଦେଶର ଅବମାନନା। ସୋସିଆଲ ମିଡିଆରେ ଏହି ଖବର ଭାଇରାଲ ହେବା ପରେ ଶିକ୍ଷା ଅଧିକାରୀ ତୁରନ୍ତ ଏହି ଆଦେଶକୁ ରଦ୍ଦ କରିଦେଇଛନ୍ତି। ଏହାକୁ ନେଇ ଉତ୍ତର ପ୍ରଦେଶ ପ୍ରାଥମିକ ଶିକ୍ଷକ ସଂଘର ପ୍ରଦେଶ ଅଧ୍ୟକ୍ଷ ସୁଶୀଲ ପାଣ୍ଡେ କହିଛନ୍ତି ଶିକ୍ଷକଙ୍କୁ ସମ୍ମାନର ସହ ବ୍ୟବହାର କରିବା ଉଚିତ। ଏହାପରେ ଯଦି କେହି ଶିକ୍ଷକ ସ୍କୁଲ ନ ଯାଆନ୍ତି ତେବେ ତାଙ୍କ ନାଁରେ ଅଭିଯୋଗ ମଧ୍ୟ ଆସିବ। ଏହି ଘଟଣାକୁ ନେଇ ଅନ୍ୟ ଜଣେ ଶିକ୍ଷକ କହିଛନ୍ତି ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ।

Share