Categories: ଅନୁଗୋଳ

ଶିକ୍ଷୟିତ୍ରୀଙ୍କୁ ବଦଳି ଦାବି: ସ୍କୁଲରେ ତାଲା ପକାଇ ପ୍ରତିବାଦ

ଭୁବନ, ୨୭।୭(ଡି.ଏନ.ଏ.)- ଭୁବନ ବ୍ଲକ ବାଲିଝାଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ପୁଷ୍ପଲତା ହୋତାଙ୍କୁ ବଦଳି ଦାବିରେ ଶୁକ୍ରବାର ସ୍କୁଲ ଫାଟକରେ ତାଲା ପକାଇ ପ୍ରତିବାଦ କରିଛନ୍ତି ଗ୍ରାମବାସୀ। ଶିକ୍ଷା ବିଭାଗର ପଦସ୍ଥ ଅଧିକାରୀ ପହଞ୍ଚତ୍ ବୁଝାଶୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
ଅଞ୍ଚଳବାସୀଙ୍କ ପ୍ରାଥମିକ ଶିକ୍ଷାର ଅନ୍ୟତମ ଅନ୍ତୁଡ଼ିଶାଳ ବାଲିଝାଟି ୟୁପି ସ୍କୁଲ। ବହୁ ପୁରାତନ ଉକ୍ତ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ପାଠପଢ଼ା ସୁବିଧା ଅଛି। ମୋଟ ୫୫ ଜଣ ପିଲାଙ୍କ ପାଇଁ ୫ଜଣ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି। ତେବେ କୌଣସି ଶିକ୍ଷକ ନ ଥିବାରୁ ସ୍କୁଲ ପରିଚାଳନାରେ ବ୍ୟାପକ ସମସ୍ୟା ଉପୁଜୁଛି। ସେହିପରି ବିଇଡି ଯୋଗ୍ୟତାଧାରୀ ଶିକ୍ଷକ ନ ଥିବାରୁ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ଏ ନେଇ ପରିଚାଳନା କମିଟି ସଭାପତି ମନୋରଞ୍ଜନ ଦେହୁରୀ, ଉପସଭାନେତ୍ରୀ ପ୍ରମୋଦିନୀ ରାଉତ ଏବଂ ସଭ୍ୟ ଈଶ୍ୱର ଚନ୍ଦ୍ର ଜେନା ଶିକ୍ଷା ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ। ତଥାପି ସମସ୍ୟାର ସମାଧାନ କରାଗଲାନାହିଁ। ଏଥିରେ ନିରୁତ୍ସାହିତ ହୋଇ ଶୁକ୍ରବାର ସକାଳେ ପରିଚାଳନା କମିଟି ସଦସ୍ୟ ଏବଂ ଗ୍ରାମବାସୀ ସ୍କୁଲ ଫାଟକରେ ତାଲା ପକାଇଦେଇଥିଲେ। ପୂର୍ବାହ୍ନ ସାଢ଼େ ୯ଟାରେ ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ବେହେରା ପହଞ୍ଚତ୍ ବୁଝାଶୁଝା କରିଥିଲେ ମଧ୍ୟ ଗ୍ରାମବାସୀ ଜିଦ୍‌ରେ ଅଡ଼ି ବସିଥିଲେ। ସୂଚନାପାଇ ଏବିଇଓ ଅରୁଣ କୁମାର ସେଠୀ, ସୁମତୀ ପ୍ରଧାନ ପହଞ୍ଚତ୍ ଆଲୋଚନା କରିଥିଲେ।
ସହକାରୀ ଶିକ୍ଷୟିତ୍ରୀ ପୁଷ୍ପଲତା ହୋତାଙ୍କୁ ଡେପୁଟେଶନରେ ନିଯୁକ୍ତି ଦିଆଯାଇଛି। ସେ ସ୍କୁଲର ନୀତିନିୟମ ମାନୁନାହାନ୍ତି। କୋମଳମତି ପିଲାଙ୍କୁ ଖରାପ ଭାଷା ପ୍ରୟୋଗ କରୁଛନ୍ତି। ପରିଚାଳନା କମିଟି କର୍ମକର୍ତ୍ତାଙ୍କୁ ହଇରାଣ ହରକତ କରିବାକୁ ଧମକ ଦେଉଛନ୍ତି। ସମ୍ପୃକ୍ତ ଶିକ୍ଷୟିତ୍ରୀ ଅନ୍ୟ ସ୍କୁଲରେ କାମ କରୁଥିବାବେଳେ ମଧ୍ୟ ସମାନ ଅଭିଯୋଗ ଆସିଥିଲା। ତେଣୁ ତାଙ୍କୁ ଅନ୍ୟତ୍ର ବଦଳି କରି ଜଣେ ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ଅଭିଭାବକମାନେ ଏବିଇଓଙ୍କ ନିକଟରେ ଦାବି କରିଥିଲେ।
ଅଗଷ୍ଟ ୧୫ ସୁଦ୍ଧା ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ବଦଳି କରାଯିବ। ତାଙ୍କ ସ୍ଥାନରେ ଜଣେ ପୁରୁଷ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ବୋଲି ଏବିଇଓ ପ୍ରତିଶ୍ରୁତି ଦେବା ପରେ ସ୍କୁଲ ତାଲା ଖୋଲିଥିଲା।