ଶିକ୍ଷାମନ୍ତ୍ରୀଙ୍କ ଘରେ କରୋନା: ସ୍ତ୍ରୀ-ଝିଅ ପଜିଟିଭ୍‌

ବେଙ୍ଗାଲୁର, ୨୩।୬: କର୍ନାଟକର ମେଡ଼ିକାଲ ଶିକ୍ଷାମନ୍ତ୍ରୀଙ୍କ ଘରେ କରୋନା ସଂକ୍ରମଣ ଘଟିଛି। ମନ୍ତ୍ରୀ କେ. ସୁଧାକରଙ୍କ ସ୍ତ୍ରୀ ଏବଂ ଝିଅଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଥିବା କୁହାଯାଉଛି। ଏନେଇ ମଙ୍ଗଳବାର ଟୁଇଟ୍‌ କରି ମନ୍ତ୍ରୀ ସୂଚନା ଦେଇଛନ୍ତି। ଅପରପକ୍ଷରେ ମନ୍ତ୍ରୀ ଏବଂ ଦୁଇ ପୁଅଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ସ୍ତ୍ରୀ ଏବଂ ଝିଅଙ୍କ ଚିକିତ୍ସା ଆରମ୍ଭ ହୋଇଥିବା ସେ କହିଛନ୍ତି। ମନ୍ତ୍ରୀଙ୍କ ଘରେ କାମକରୁଥିବା ଜଣେ ବ୍ୟକ୍ତିଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଥିଲା। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେ ସମୟରେ ଘରର କୌଣସି ସଦସ୍ୟଙ୍କଠାରେ କରୋନା ଲକ୍ଷଣ ଦେଖାଯାଇ ନ ଥିଲା। ପରେ ସ୍ତ୍ରୀ ଏବଂ ଝିଅଙ୍କୁ କାଶ ହେବାରୁ ସେମାନଙ୍କର ନମୁନା ପରୀକ୍ଷା କରାଯିବା ସହିତ ଘରର ଅନ୍ୟ ସଦସ୍ୟଙ୍କ ନମୁନା ମଧ୍ୟ ପରୀକ୍ଷା କରାଯାଇଥିବା ମନ୍ତ୍ରୀ କହିଛନ୍ତି।

Share