ଶିକ୍ଷାନୀତିର ପରିବର୍ତ୍ତନ ଜରୁରୀ: ଅନନ୍ତ

ଭୋଗରାଇ, ୫।୮(ଡି.ଏନ.ଏ.)- ଶିକ୍ଷାନୀତିର ପରିବର୍ତ୍ତନ କରାଯାଇ ସାରାଦେଶରେ ଏକକ ପରୀକ୍ଷା କରାଯିବା ଜରୁରୀ ହୋଇପଡ଼ିଛି। ପ୍ରଚଳିତ ଶିକ୍ଷା ବ୍ୟବସ୍ଥାରେ ପ୍ରାଥମିକ ସ୍ତରରେ ଛାତ୍ରୀଛାତ୍ରଙ୍କ ଗୁଣାତ୍ମକ ଶିକ୍ଷା ଦିଆଯାଇ ପାରୁ ନାହିଁ । ଅନେକ ଛାତ୍ରୀଛାତ୍ର ବିଷୟବସ୍ତୁକୁ କେବଳ ମୁଖସ୍ତ କରି ପାଠ ପଢୁଛନ୍ତି। ଫଳରେ ହାଇସ୍କୁଲ ପାସ କରିଥିବା କିମ୍ବା କଲେଜରେ ଅଧ୍ୟୟନ କରୁଥିବା ଛାତ୍ରୀଛାତ୍ର ଶୁଦ୍ଧ ଭାବେ ଓଡ଼ିଆରେ ଦରଖାସ୍ତ ଲେଖିପାରୁନାହାନ୍ତି । ମାତୃଭାଷାରେ ଶିକ୍ଷାଦାନ ପ୍ରତି ଗୁରୁତ୍ୱ ଦିଆଯାଉଥିବା ବେଳେ ଏଭଳି ଘଟଣା ଭାଷା ଓ ଜାତି ପ୍ରତି ଲଜ୍ଜାଜନକ ବୋଲି ବାଲେଶ୍ୱର ଜିଲା ଭୋଗରାଇ ମହିଳା ମହାବିଦ୍ୟାଳୟର ୨୭ତମ ସ୍ବନକ୍ଷତ୍ର ଦିବସ ଓ ପ୍ରବେଶ ଉତ୍ସବରେ ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ବିଧାୟକ ଅନନ୍ତ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ମତ ପ୍ରକାଶ କରିଛନ୍ତି।
ଶିକ୍ଷାବିତ୍‌ ପଙ୍କଜାକ୍ଷ ପଣ୍ଡାଙ୍କ ପୌରୋହତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଆହୁରି କହିଥିଲେ, ଶିକ୍ଷକ ଓ ଛାତ୍ରୀଛାତ୍ର ଶିକ୍ଷାର ମାନ ବୃଦ୍ଧି ଲାଗି ପ୍ରଚେଷ୍ଟା କରିବା ଦରକାର। ଏହାଦ୍ୱାରା ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆସିପାରିବ। ଉତ୍ସବରେ ପୂର୍ବତନ ଜିଲାପରିଷଦ ସଦସ୍ୟ ହେମନ୍ତ ବେହେରା ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ସମ୍ମାନନୀୟ ଅତିଥି ଭାବେ ଅଧ୍ୟାପକ ରାମଚନ୍ଦ୍ର ଭଞ୍ଜ, ରାଜୀବ ଲୋଚନ ପରିଡ଼ା, ଶିକ୍ଷାବିତ୍‌ ଲୋକନାଥ ପାଣିଗ୍ରାହୀ, ସରପଞ୍ଚ ପ୍ରବୀର କୁମାର ଗିରି, ସମିତିସଦସ୍ୟ ସୁନୀଲ କର, ଅଧ୍ୟକ୍ଷା କଳ୍ପନାରାଣୀ ଭଞ୍ଜ ପ୍ରମୁଖ ଭାଷଣ ଦେଇ ଛାତ୍ରୀଛାତ୍ର ଏକାଗ୍ରତା ରଖି ଜିଜ୍ଞାସାବୋଧର ସହ ଅଧ୍ୟୟନ କଲେ ଶିକ୍ଷାନୁଷ୍ଠାନ ସମେତ ଅଞ୍ଚଳର ଗୌରବ ବଢାଇ ପାରିବେ କହିଥିଲେ। ଏହି ଅବସରରେ ମୁଖ୍ୟଅତିଥି କଲେଜର ପ୍ରତିଷ୍ଠା ଓ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଶିକ୍ଷାବିତ୍‌ ବିଜୟ କୁମାର ସିଂହଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସମସ୍ତ ଅଧ୍ୟାପିକା, ଅଧ୍ୟାପକ, କର୍ମଚାରୀ, ପରିଚାଳନା କମିଟି ସଦସ୍ୟ ଓ ଛାତ୍ରୀ ଉପସ୍ଥିତ ଥିଲେ। ଅଧ୍ୟାପକ ବିମଳ କୁମାର ନନ୍ଦୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।