ଶିକ୍ଷାଦାନ ଏକ ମହାନ୍‌ ବୃତ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ଶିକ୍ଷାଦାନ ଏକ ମହାନ୍‌ ବୃତ୍ତି। ଶ୍ରେଣୀକକ୍ଷରେ ହିଁ ଦେଶର ଭବିଷ୍ୟତ ଗଠନ କରାଯାଇଥାଏ। ତେଣୁ କେବଳ ପୁସ୍ତକଗତ ଶିକ୍ଷାଦାନ ଉପରେ ସୀମିତ ନ ରହି ଛାତ୍ରୀଛାତ୍ରଙ୍କ ଚରିତ୍ର ଗଠନ ଓ ସେମାନଙ୍କ ମଧ୍ୟରେ ନୈତିକ ମୂଲ୍ୟବୋଧର ବିକାଶ ଉପରେ ଶିକ୍ଷକମାନେ ଗୁରୁତ୍ୱ ଦେବା ଜରୁରୀ। ସ୍ଥାନୀୟ ରବିନ୍ଦ୍ର ମଣ୍ଡପରେ ବୁଧବାର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୪୮୯ଜଣ ଶିକ୍ଷକ ଏବଂ ୮ଜଣ ଅଧୀକ୍ଷକଙ୍କ ମାର୍ଗଦର୍ଶନ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି।
ଏଥିସହ ଗୁଣାତ୍ମକ ଶିକ୍ଷା ପ୍ରତି ତାଙ୍କ ସରକାରର ପ୍ରତିବଦ୍ଧତାକୁ ଦୋହରାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବର୍ତ୍ତମାନ ରାଜ୍ୟରେ ୨୧୪ଟି ଆଦର୍ଶ ବିଦ୍ୟାଳୟ ଥିବାବେଳେ ଖୁବ୍‌ ଶୀଘ୍ର ଆଉ ୧୦୦ ଟି ଆଦର୍ଶ ବିଦ୍ୟାଳୟ ଖୋଲାଯିବ। ଫଳରେ ଉତ୍ତମ ଶିକ୍ଷାଦାନ ସହ ପିଲାଙ୍କ ସ୍ବପ୍ନକୁ ସାକାର କରିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିବା ଆଦର୍ଶ ବିଦ୍ୟାଳୟର ପ୍ରଥମ ବ୍ୟାଚ୍‌ର ୯ଜଣ କୃତୀ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ଆଦର୍ଶ ବିଦ୍ୟାଳୟର ନୂଆ ଓ୍ବେବ୍‌ସାଇଟ୍‌ର ଲୋକାର୍ପଣ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଡା ବିଜୟ ସାହୁ, ବିଭାଗୀୟ ଶାସନ ସଚିବ ଓ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ।