Categories: ଅନୁଗୋଳ

ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା: ରାସ୍ତାରେ ବସିଲେ ଛାତ୍ରୀଛାତ୍ର

ବନ୍ତଳା, ୭।୧୨(ଡି.ଏନ.ଏ.) – ଅନୁଗୋଳ ଜିଲା ବନ୍ତଳା ଥାନା ନନ୍ଦପୁର ପ୍ରାଥମିକ ବିଦ୍ୟାଳୟରେ ବିଭିନ୍ନ ସମସ୍ୟାକୁ ନେଇ ସ୍ଥାନୀୟ ସରପଞ୍ଚ, ଅଭିଭାବକମାନେ ଶୁକ୍ରବାର ସକାଳେ ବିଦ୍ୟାଳୟ ଫାଟକରେ ତାଲା ପକାଇବା ସହିତ ରାସ୍ତା ଅବରୋଧ କରି ଆନ୍ଦୋଳନ କରିଥିଲେ। ଫଳରେ ଛାତ୍ରୀଛାତ୍ରମାନେ ରାସ୍ତାରେ ବସି ପାଠ ପଢିଥିଲେ। ବ୍ଲକ ଶିକ୍ଷା ଅଧିକାରୀଙ୍କ ସହ ସରପଞ୍ଚ କଥା ହେବା ପରେ ମଧ୍ୟାହ୍ନ ୧୨ ଟାରେ ରାସ୍ତା ଅବରୋଧ ହଟିଥିଲା।
ଅଭିଭାବକଙ୍କ ଅଭିଯୋଗ ମୁତାବକ, ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୧୪୦ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଶିକ୍ଷାଦାନ ପାଇଁ ମାତ୍ର ୪ ଜଣ ଶିକ୍ଷକ ନିଯୁକ୍ତି ହୋଇଥିବାବେଳେ ଶିକ୍ଷକ ଜିତେନ୍ଦ୍ର ବେହେରାଙ୍କୁ ଅନ୍ୟ ବିଦ୍ୟାଳୟକୁ ଡେପୁଟେଶନରେ ପଠାଯାଇଛି। ଅନ୍ୟପକ୍ଷରେ ପ୍ରଧାନ ଶିକ୍ଷୟିତ୍ରୀ ଅନେକ ସମୟରେ ଅନୁପସ୍ଥିତ ରହୁଥିବା ଯୋଗୁ ପାଠପଢା ବ୍ୟାହତ ହେଉଛି। ଏ ନେଇ ସରପଞ୍ଚ ଓ ଶିକ୍ଷା କମିଟି ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଚିଠି କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଅଭିଯୋଗ ହୋଇଛି। ଫଳରେ ସରପଞ୍ଚ ଅନିତା ପ୍ରଧାନ, ଶିକ୍ଷା ପରିଚାଳନା କମିଟି ସଭାପତି ନିତ୍ୟାନନ୍ଦ ମାଝିଙ୍କ ସମେତ ସମସ୍ତ ଅଭିଭାବକମାନେ ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟରେ ତାଲା ପକାଇବାସହିତ ରାସ୍ତା ଅବରୋଧ କରି ଆନ୍ଦୋଳନ କରିଥିଲେ। ଏଥିଯୋଗୁ ରାସ୍ତାର ଉଭୟପାର୍ଶ୍ୱରେ ବହୁ ଗାଡି ଅଟକି ରହିଥିଲା। ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀ ଲୋପାମୁଦ୍ରା ପଟ୍ଟନାୟକ କହିଛନ୍ତି, ସରପଞ୍ଚଙ୍କୁ ଫୋନ ମାଧ୍ୟମରେ କହିବା ପରେ ରାସ୍ତା ଅବରୋଧ ହଟିଥିଲା। ଡେପୁଟେଶନରେ ଆସିଥିବା ଶିକ୍ଷକଙ୍କୁ ଫେରାଇ ଦିଆଯିବ। ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅନୁପସ୍ଥିତି ବାବଦରେ ସୋମବାର ତଦନ୍ତରେ ଯିବୁ ବୋଲି ସେ ପ୍ରକାଶ କରିଥିଲେ।