ଶିକ୍ଷକ ଅଭାବ ନେଇ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ବାହାନଗା,୨୦।୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ପାଟିମୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ ସୋମବାର ଛାତ୍ରୀଛାତ୍ର ଓ ଅଭିଭାବକମାନେ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଛନ୍ତି। ଖବର ପାଇ ପୋରାଡ଼ିଆ କ୍ଲଷ୍ଟରର ସିଆର୍‌ସିସି ପରମାନନ୍ଦ ପାତ୍ର ଘଟଣାସ୍ଥଳରେ ପହଞ୍ଚି ବୁଝାଶୁଝା କରିଥିଲେ ମଧ୍ୟ ଅଭିଭାବକମାନେ ତାଙ୍କୁ ଅଟକ ରଖିଛନ୍ତି।
ସୂଚନାଯୋଗ୍ୟ, ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ପଢ଼ୁଛନ୍ତି। ୫ଟି ଶ୍ରେଣୀର ପିଲାଙ୍କୁ ମାତ୍ର ଜଣେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସ୍ନେହଲତା ନାୟକ ପାଠ ପଢ଼ାଉଛନ୍ତି। ତେବେ ଗ୍ରାମବାସୀ ବାରମ୍ବାର ଶିକ୍ଷକ ନିଯୁକ୍ତି ପାଇଁ ଦାବି କରୁଥିଲେ ମଧ୍ୟ ଦୀର୍ଘଦିନ ଧରି ସମସ୍ୟାର କୌଣସି ସମାଧାନ ହୋଇପାରୁ ନାହିଁ। ଏ ନେଇ ଗ୍ରାମର ମହିଳା ଓ ପୁରୁଷ ସମେତ ପରିଚାଳନା କମିଟିର ସଦସ୍ୟମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି।