ଶିକ୍ଷକଙ୍କ ବଦଳି ବାତିଲ ଦାବି :ଦେଓଗାଁ ପ୍ରାଥମିକ ସ୍କୁଲରେ ତାଲା ବନ୍ଦ

କଣ୍ଟାମାଳ,୨୭।୭ (ଡି.ଏନ.ଏ)
ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଦେଓଗାଁ ନୂତନ ପ୍ରକଳ୍ପ ପ୍ରାଥମିକ ସ୍କୁଲରେ ଶୁକ୍ରବାର ୧୦ଟାରେ ଅଭିଭାବକ ଓ ଛାତ୍ରୀଛାତ୍ର ତାଲା ପକାଇ ଧାରଣା ଦେଇଛନ୍ତି । ଜଣେ ଶିକ୍ଷକଙ୍କ ବଦଳି ବାତିଲ କରିବାକୁ ସ୍କୁଲରେ ତାଲା ପକାଇ ଶିକ୍ଷାଦାନ ବନ୍ଦ କରାଯାଇଥିବା ପରିଚାଳନା କମିଟି ସଭାପତି ଭଗବାନ ବାଘ ପ୍ରକାଶ କରିଛନ୍ତି । ଦେଓଗାଁ ପ୍ରକଳ୍ପ ପ୍ରାଥମିକ ସ୍କୁଲରେ ସମୁଦାୟ ୧୦୭ ଜଣ ଛାତ୍ରୀଛାତ୍ର ଶିକ୍ଷା ଗ୍ରହଣ କରୁଛନ୍ତି । ଶିକ୍ଷା ବିଭାଗର ବଦଳି ଆଦେଶରେ ଏହି ସ୍କୁଲର ୫ ଜଣ ଶିକ୍ଷକଙ୍କ ମଧ୍ୟରୁ ଜଣଙ୍କୁ ଅପସାରଣ କରାଯାଇଛି । ଛାତ୍ରୀଛାତ୍ରଙ୍କ ସଂଖ୍ୟା ଅନୁଯାୟୀ ସ୍କୁଲରେ ଶିକ୍ଷକ ଅଭାବକୁ ଅନୁଭବ କରି ପୁଣି ତାଙ୍କୁ ଫେରାଇ ଆଣିବାକୁ ଦାବି କରି ଏହି ଆନ୍ଦୋଳନ ହୋଇଛି । ଏ ନେଇ ଶିକ୍ଷା ବିଭାଗକୁ ଲିଖିତଭାବେ ଗ୍ରାମବାସୀ ଅଭିଯୋଗ କରିଥିଲେ ମଧ୍ୟ ଘଟଣାସ୍ଥଳକୁ କୌଣସି ଅଧିକାରୀ ଆସି ନ ଥିଲେ । ଦାବି ପୂରଣ ନ ହେବା ଯାଏ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ପରିଚାଳନା କମିଟି ସଭାପତି ବାଘ ସୂଚନା ଦେଇଛନ୍ତି ।