ଶିକ୍ଷକଙ୍କ ଡଷ୍ଟର ମାଡ଼ରେ ଛାତ୍ରଙ୍କ ପଞ୍ଜରା ହାଡ଼ ଫାଟିଲା, ଦଶପଲ୍ଲା ଥାନାରେ ମାମଲା

ଦଶପଲ୍ଲା,୨୨ା୯(ଡି.ଏନ.ଏ.)-ନୟାଗଡ ଜିଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଖମାରସାହି ନୋଡାଲ ହାଇସ୍କୁଲରେ ଜନୈକ ଶିକ୍ଷକଙ୍କ ଡଷ୍ଟର ମାଡ଼ରେ ଜଣେ ନବମ ଶ୍ରେଣୀ ଛାତ୍ର ଆହତ ହୋଇଛନ୍ତି। ଏଥିନେଇ ତାଙ୍କ ବାପା ଦଶପଲ୍ଲା ଥାନାରେ ଅଭିଯୋଗ କରିଛନ୍ତି। ଥାନାରେ ନଂ.୧୧୪/୧୯ରେ ମାମଲା ରୁଜୁ ହୋଇ ତଦନ୍ତ ଚାଲୁ ରହିଥିବା ପୋଲିସ ସୂତ୍ରରୁ ପ୍ରକାଶ।

ଛାତ୍ର ଜଣଙ୍କ ଗୁରୁବାର ସ୍କୁଲକୁ ଯାଇଥିଲେ। ଅପରାହ୍ନରେ ଶ୍ରେଣୀଗୃହରେ ଶିକ୍ଷକ ଉପସ୍ଥିତ ଥିବାବେଳେ ସମ୍ପୃକ୍ତ ଛାତ୍ର ତାଙ୍କର ଜଣେ ସହପାଠୀଙ୍କ ସହିତ କିଛି କଥା ହେଉଥିଲେ। ଏହା ଦେଖି ଶିକ୍ଷକ ଏକ ଡଷ୍ଟର ଫୋପାଡ଼ିବାରୁ ତାହା ତାଙ୍କ ଛାତିରେ ବାଜିଥିଲା। ଫଳରେ ଛାତ୍ର ଆହତ ହେବା ସହ ତାଙ୍କର ପଞ୍ଜରା ହାଡ଼ ଫାଟି ଯାଇଥିବା ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ଛାତ୍ରଙ୍କ ଘର ଲୋକେ ଜାଣିବା ପରେ ତାଙ୍କ ବାପା ତୁରନ୍ତ ତାଙ୍କୁ ନେଇ ଦଶପଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ସେ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣା ନେଇ ଶୁକ୍ରବାର ଛାତ୍ରଙ୍କ ବାପା ଦଶପଲ୍ଲା ଥାନାରେ ଅଭିଯୋଗ କରିଥିଲେ। ଶିକ୍ଷକଙ୍କର ଥିବା ଏକ ଘରୋଇ ବିଦ୍ୟାଳୟରେ ପାଠ ପଢିବା ପାଇଁ ସମ୍ପୃକ୍ତ ଛାତ୍ରଙ୍କ ଉପରେ ଶିକ୍ଷକ ବାରମ୍ବାର ଚାପ ପକାଉଥିଲେ। ତେବେ ତାଙ୍କୁ ସେଠାକୁ ଘର ଲୋକେ ନ ଛାଡ଼ିବାରୁ ଶିକ୍ଷକ ଜଣଙ୍କ ରାଗ ରଖି ବିଭିନ୍ନ ସମୟରେ ଛାତ୍ରଙ୍କୁ ହଇରାଣ କରୁଥିବା ତାଙ୍କ ବାପା ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ଏ ନେଇ ଦଶପଲ୍ଲା ଥାନାରେ ମାମଲା ରୁଜୁ ହୋଇଛି। ଏ ସମ୍ପର୍କରେ ସମ୍ପୃକ୍ତ ଶିକ୍ଷକଙ୍କୁ ପଚାରିବାରେ ସେ କହିଥିଲେ, ଏହା ସମ୍ପୂର୍ଣ୍ଣ ମିଥ୍ୟା ଅଭିଯୋଗ। ଏ ସମ୍ପର୍କରେ ଥାନା ଆଇଆଇସି ବିଶ୍ୱଜିତ ରାଉତରାୟଙ୍କୁ ପଚାରିବାରେ ମାଡ଼ ଘଟଣା ନେଇ ମାମଲା ରୁଜୁ ହେବା ସହ ଡିଏସ୍‌ପି ଘଟଣାର ତଦନ୍ତ କରୁଥିବା ସେ ପ୍ରକାଶ କରିଥିଲେ।