ଶାହରୁଖଙ୍କ ଶାଶୁଙ୍କ ଫାର୍ମ ହାଉସ୍‌ ଉପରେ ଲାଗିଲା ୩କୋଟି ଟଙ୍କାର ଜରିମାନା

ମୁମ୍ବାଇ,୨୮।୨: ବଲିଉଡ୍‌ ବାଦଶାହ ଶାହରୁଖ ଖାଁଙ୍କ ଶାଶୁ ସବିତା ଛିବାଙ୍କ ଫାର୍ମ ହାଉସ୍‌ ଉପରେ ୩କୋଟି ଟଙ୍କାର ଜରିମାନା ଲାଗିଥିବା ଜଣାପଡ଼ିଛି। ଡେଜା ବୁ ଫାମର୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦ୍ଦେଶକ ହେଉଛନ୍ତି ଶାହରୁଖଙ୍କ ଶାଶୁ ସବିତା ଓ ଶାଳୀ ନମିତା ଛିବା। ମୁମ୍ବାଇ ଅଲିବାଗର ଥାଲରେ ଏକ ବିଳାସପୁର୍ଣ୍ଣ ବଙ୍ଗଳା ସହ ଫାର୍ମ ହାଉସ୍‌ ରହିଛି। ସୂଚନା ମୁତାବକ ୨୦୧୮ରେ ୧.୩ ହେକ୍ଟରରେ ତିଆରି ହୋଇଥିବା ଏହି ଫାର୍ମ ହାଉସ୍‌ରେ ଏକ ସୁଇମିଂ ପୁଲ୍‌ ଓ ହ୍ୟାଲିପ୍ୟାଡ ରହିଛି। ଏଠାରେ ବଲିଉଡ୍‌ର କେତେକ ହାଇ ପ୍ରୋଫାଇଲ୍‌ ପାର୍ଟି ଆୟୋଜିତ ହୋଇଥାଏ। ଏଥିରେ ଶାହରୁଖଙ୍କ ୫୨ତମ ବାର୍ଥ ଡେ’ ପାର୍ଟି ମଧ୍ୟ ସାମିଲ ଅଛି। ୨୦୧୮ ଜାନୁଆରୀ ୨୯ରେ ଡେଜା ବୁ କମ୍ପାନୀ ଆରମ୍ଭ ହୋଇଥିଲା। ସେତେବେଳେ ଜିଲାପାଳ ବିଜୟ ସୂର୍ଯ୍ୟବଂଶୀ ଉକ୍ତ କମ୍ପାନୀକୁ ଏକ ନୋଟିସ୍‌ ପଠାଇଥିଲେ। ଏଥିରେ ଉଲ୍ଲେଖ କରାଯାଇଥିଲା ଯେ ଜମି କିଣିବା ପରେ ସେଠାରେ ୨୦୦୫ ମେ’ ୧୩ରେ ତତ୍କାଳୀନ ଅତିରିକ୍ତ ଜିଲାପାଳ ଚାଷ ପାଇଁ ଅନୁମତି ଦେଇଥିଲେ। ହେଲେ ଚାଷ ପରିବର୍ତ୍ତେ ଉକ୍ତ ଜମିରେ ସମୟକ୍ରମେ ଫାର୍ମ ହାଉସ୍‌ ଓ ବିଳାସମୟ କୋଠା ଗଢ଼ି ଉଠିଥିଲା। ଯାହା ବମ୍ବେ ଟେନେନ୍ସୀ ଆକ୍ଟ ସେକ୍ସନ୍‌ ୬୩କୁ ଉଲ୍ଲଂଘନ କରୁଛି। ତେବେ ୨୦୨୦ ଜାନୁଆରୀ ୨୦ରେ ଏହି ମାମଲାରେ ପୁଣି ଥରେ ଜିଲାପାଳ ନୋଟିସ୍‌ ଜାରି କରି ଏହି ଜରିମାନା ଲଗାଇଥିବା ଜଣାପଡ଼ିଛି।

Share