Categories: ଜାତୀୟ

ଶାହଙ୍କ ଡିନର୍‌ ପାର୍ଟି

ନୂଆଦିଲ୍ଲୀ,୨୨ା୫: ସାଧାରଣ ନିର୍ବାଚନର ଫଳାଫଳକୁ ନେଇ ଭବିଷ୍ୟବାଣୀ କରିଥିବା ୧୪ ଏକ୍‌ଜିଟ୍‌ ପୋଲ ମଧ୍ୟରୁ ୧୨ଟି ଏନ୍‌ଡିଏ ସପକ୍ଷରେ ଜନମତ ରହିଥିବା କହିଛନ୍ତି। ଏଭଳି ସମୟରେ ସରକାର ଗଠନ ପାଇଁ ମେଣ୍ଟ ରଣନୀତି ସ୍ଥିର କରିବା ଲାଗି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମଙ୍ଗଳବାର ନୂଆଦିଲ୍ଲୀର ଏକ ହୋଟେଲରେ ନୈଶଭୋଜିର ଆୟୋଜନ କରିଥିଲେ। ଏଥିରେ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ.କେ. ପାଲାନିସାମୀଙ୍କ ସମେତ ୩୬ ସହଯୋଗୀ ଦଳର ନେତା ଯୋଗଦେଇଥିଲେ। ୨୦୧୯ ସାଧାରଣ ନିର୍ବାଚନକୁ ଦେଶ ପାଇଁ ଅତ୍ୟନ୍ତ ନିର୍ଣ୍ଣାୟକ ବୋଲି ଅଭିହିତ କରିବା ସହ ୨୦୨୨ ସୁଦ୍ଧା ଏକ ଶକ୍ତ, ବିକଶିତ ଓ ସମୃଦ୍ଧ ଭାରତ ଗଠନ ଲାଗି ସଂକଳ୍ପନାମା ଏଥିରେ ଗୃହୀତ ହୋଇଛି। ଏଲ୍‌ଜେପି ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନ ଏହି ସଂକଳ୍ପନାମା ଆଗତ କରିଥିଲେ। ଇଭିଏମ୍‌କୁ ନେଇ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଉଠାଯାଉଥିବା ପ୍ରଶ୍ନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଅନାବଶ୍ୟକ ବିବାଦ’ ବୋଲି ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Share