Categories: ଖେଳ

ଶାସ୍ତ୍ରୀଙ୍କ ସ୍ବତନ୍ତ୍ର ଅନୁରୋଧ

ମୁମ୍ବାଇ,୧୭।୮: ପୂର୍ବତନ କ୍ରିକେଟର ରବି ଶାସ୍ତ୍ରୀଙ୍କୁ ପୁଣି ଥରେ ଭାରତୀୟ ଦଳର କୋଚ୍‌ ନିଯୁକ୍ତ କରାଯାଇଛି। ତାଙ୍କୁ ୨୦୨୧ ଟି୨୦ ବିଶ୍ୱକପ୍‌ ପର୍ଯ୍ୟନ୍ତ ଦଳର ଦାୟିତ୍ୱ ଦିଆଯାଇଛି। ୩ ଜଣିଆ କ୍ରିକେଟ ଉପଦେଷ୍ଟା କମିଟି (ସିଏସି) ସାକ୍ଷାତ୍‌କାରବେଳେ ଶାସ୍ତ୍ରୀ ଏକ ସ୍ବତନ୍ତ୍ର ଅନୁରୋଧ କରିଥିଲେ। ବର୍ତ୍ତମାନ ନିୟମ ଅନୁଯାୟୀ ଚୟନ କମିଟି ସହ କେବଳ ଅଧିନାୟକ ଖେଳାଳି ଚୟନ କରିପାରିବେ। ଏଥିରେ ପରିବର୍ତ୍ତନ କରାଯାଇ ଉଭୟ କୋଚ୍‌ ଓ ଅଧିନାୟକଙ୍କୁ ଉପସ୍ଥିତ ରହିବାକୁ ଅଧିକାର ଦିଆଯିବା ପାଇଁ ସେ ଅନୁରୋଧ କରିଥିବା ଜଣେ ସିଏସି ସଦସ୍ୟ କହିଛନ୍ତି। କୋଚ୍‌ଙ୍କୁ ଖେଳାଳି ଚୟନ ପ୍ରକ୍ରିୟାରୁ ଦୂରେଇ ରଖାଯିବା ଯୋଗୁ ଭାରତୀୟ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଥିଲେ। ଯାହାକି ନ୍ୟୁଜିଲାଣ୍ଡ ବିପକ୍ଷ ଆଇସିସି ବିଶ୍ୱକପ୍‌ ସେମିଫାଇନାଲରେ ଭାରତୀୟ ଦଳର ପରାଜୟ କାରଣ। ସେ ଚୟନ ପ୍ରକ୍ରିୟାରୁ ଦୂରେଇ ରହିବାରୁ ଦଳୀୟ ମ୍ୟାନେଜମେଣ୍ଟକୁ ମିଡ୍‌ଲ ଅର୍ଡରରେ ଯେଉଁ ଖେଳାଳି ଦରକାର ଥିଲେ, ସେମାନେ ମିଳି ନ ଥିଲେ।

Share