ଶାସକ ଦଳକୁ ବିଷ୍ଣୁ, ସୁରେଶଙ୍କ ସମାଲୋଚନା

ଭୁବନେଶ୍ୱର,୨।୭(ବ୍ୟୁରୋ): ରାଜ୍ୟ ସରକାର ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିସାରିଛନ୍ତି। ଏହା ଉପରେ ସୋମବାରଠାରୁ ବିଧାନସଭାରେ ଆଲୋଚନା ଆରମ୍ଭ ହୋଇଛି। ଅଧିବେଶନର ଦ୍ୱିତୀୟାର୍ଦ୍ଧରେ ବିଭିନ୍ନ ସ୍ଥାୟୀ କମିଟି ଅଧ୍ୟକ୍ଷ ଏବଂ ସଦସ୍ୟଙ୍କ ନାମ ଘୋଷଣା ପରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ବିତର୍କ ଆରମ୍ଭ କରିଥିଲେ। ବିଷ୍ଣୁ କହିଥିଲେ, ରାଜ୍ୟ ସରକାର ବଜେଟ ପାଇଁ କେନ୍ଦ୍ର ଉପରେ ନିର୍ଭରଶୀଳ। ଆଗତ ବଜେଟ ପୂର୍ଣ୍ଣରୂପେ କେନ୍ଦ୍ର ଆଧାରିତ। ରାଜ୍ୟର ବିଭିନ୍ନ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରେୟ ନେଉଛନ୍ତି। ତେଣୁ ଅସଫଳତାର ଶ୍ରେୟ ବି ତାଙ୍କୁ ଯାଇଥାଏ। ନିଜସ୍ବ ସମ୍ବଳରୁ ବଜେଟ୍‌ରେ ବିଶେଷ କିଛି କରାଯାଇନାହିଁ। ରାଜ୍ୟରେ ଏବେ ବି ବିଭିନ୍ନ ମଣ୍ଡିରେ ଧାନ ପଡି ଗଜା ହେଲାଣି। ରାଜ୍ୟର ଋଣଭାର ବୃଦ୍ଧି ପାଇବାରେ ଲାଗିଥିବା ସେଠୀ କହିଥିଲେ। ବରିଷ୍ଠ ବିଜେଡି ନେତା ଅମର ଶତପଥୀ ରାଜ୍ୟକୁ ବିଭିନ୍ନ କ୍ଷେତ୍ରରେ କେନ୍ଦ୍ର ଅବିଚାର କରୁଥିବା କଥା କହିଥିଲେ। ଅମରଙ୍କ ପରେ ବିଧାୟକ ପ୍ରଫୁଲ୍ଲ ମଲିକ ବଜେଟକୁ ସମର୍ଥନ କରି ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଉଲ୍ଲେଖ କରିଥିଲେ। କଂଗ୍ରେସ ସଭ୍ୟ ସୁରେଶ ରାଉତରାୟ ବଜେଟକୁ ବିରୋଧ କରି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। କଥାଛଳରେ ବିଜେଡି ଓ ଭାଜପା ମଧ୍ୟରେ ଥିବା ରାଜନୈତିକ ବୁଝାମଣାକୁ ସମାଲୋଚନା କରିଥିଲେ। ସୁରେଶ କହିଥିଲେ ଯେ, ବିଜେଡି ଡରି ଭାଜପାକୁ ଗୋଟେ ରାଜ୍ୟ ସଭା ସିଟ୍‌ ଦେଇଛି। ମହାପ୍ରଭୁ କାଳିଆଙ୍କ ନାଁରେ ଯୋଜନା କରାଯାଇଛି। ରାଜ୍ୟ ସରକାର ସମଗ୍ର ଚାଷୀକୁଳକୁ ଅପମାନ କରିଛନ୍ତି। ଯୋଜନାକୁ ସ୍ବର୍ଗତ ବିଜୁବାବୁ କିମ୍ବା ଅନ୍ୟ କାହା ନାଁରେ କରାଯାଇ ପାରିଥାଆନ୍ତା ବୋଲି ସୁରେଶ କହିଥିଲେ।
ଶାସକ ସଭ୍ୟ ସୁବାସ ଚନ୍ଦ୍ର ବେହେରା ବଜେଟରେ ପ୍ରାଥମିକ ଶିକ୍ଷା ଓ ଉଚ୍ଚ ଶିକ୍ଷା ବାବଦକୁ ଅଧିକ ବ୍ୟୟବରାଦ ହୋଇଥିଲେ ଭଲ ହୋଇ ଥାଆନ୍ତା ବୋଲି ମତ ରଖିଥିଲେ। ଭାଜପା ପକ୍ଷରୁ ଶଙ୍କର ଓରମା ଏକାଧିକ ବିଭାଗରେ ରାଜ୍ୟ ସରକାରଙ୍କ ଦୁର୍ବଳତା ଦର୍ଶାଇ ଗୃହର ଦୃଷ୍ଟି ଆକର୍ଷଣ କରିଥିଲେ। ଶାସକ ସଭ୍ୟ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ଅନନ୍ତ ଦାସ ଏବଂ ଅରବିନ୍ଦ ଢାଲି ବଜେଟକୁ ସମର୍ଥନ କରି ବିତର୍କ କରିଥିଲେ। ଅରବିନ୍ଦଙ୍କ ବକ୍ତବ୍ୟ ଚାଲିଥିବା ସମୟରେ ଆଲୋଚନାକୁ ଅସମ୍ପୂର୍ଣ୍ଣ ବୋଲି ଘୋଷଣା କରି ଗୃହକୁ ମଙ୍ଗଳବାର ପୂର୍ବାହ୍ନ ୧୦ଟା ୩୦ ଯାଏ ମୁଲତବୀ ଘୋଷଣା କରାଯାଇଥିଲା।