ଶାଳଗାଁରେ ରେଳ ଦୁର୍ଘଟଣା ନେଇ ବଦଳିଲା କିଛି ଟ୍ରେନ୍‌ର ଗତିପଥ, କଟକ ପରିବର୍ତ୍ତେ ନରାଜ ହୋଇ ଯିବ

କଟକ ଅଫିସ,୧୬।୧: କଟକ ନିର୍ଗୁଣ୍ଡି ଷ୍ଟେଶନ ନିକଟ ଶାଳଗାଁଠାରେ ରେଳ ଦୁର୍ଘଟଣା ପରେ କିଛି ଟ୍ରେନ୍‌ର ଗତିପଥରେ ପରିବର୍ତ୍ତନ କରାଯାଇଛି। କଟକ ପରିବର୍ତ୍ତେ ନରାଜ ଦେଇ କିଛି ଟ୍ରେନ୍‌ ଚଳାଚଳ କରିବ ବୋଲି ଜଣାପଡ଼ିଛି। ଭୁବନେଶ୍ୱର ମୁମ୍ବାଇ ଏଲ୍‌ଟିଟି, ପୁରୀ ରାଉରକେଲା ପାସେଞ୍ଜର, ଦୁର୍ଗ-ପୁରୀ, ଧାନବାଦ ଭୁବନେଶ୍ୱର ରାଜ୍ୟରାଣୀ ଆଦି ଟ୍ରେନ୍‌ ନରାଜ ଦେଇ ଯିବ। ଦୁର୍ଗରୁ ପୁରୀ ଆସୁଥିବା ଟ୍ରେନ୍‌ ନରାଜ ହୋଇ ଭୁବନେଶ୍ୱରରେ ପହଞ୍ଚିବ। ତାଳଚେର-ପୁରୀ ମେମୁ କଟକ ପରିବର୍ତ୍ତେ ନରାଜ ଦେଇ ଆସିବ। ଟ୍ରେନ୍‌ ରୁଟ୍‌ ପରିବର୍ତ୍ତନ ନେଇ ପୂର୍ବତଟ ରେଲଓ୍ବେ ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରକାଶଯୋଗ୍ୟ, ମୁମ୍ବାଇ-ଭୁବନେଶ୍ୱର ଲୋକମାନ୍ୟ ତିଲକ ଏକ୍ସପ୍ରେସ ଉକ୍ତ ସ୍ଥାନରେ ଟ୍ରାକ୍‌ରେ ଛିଡ଼ା ହୋଇଥିବା ଏକ ମାଲବାହୀ ଟ୍ରେନ୍‌କୁ ପଛରୁ ଧକ୍କା ଦେଇଛି। ଫଳରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୪ଜଣ ମହିଳା ଓ ୨ଜଣ ଶିଶୁ ରହିଛନ୍ତି। କଟକ ଏସ୍‌ସିବି ମେଡିକାଲରେ ଆହତମାନଙ୍କ ଚିକିତ୍ସା ଜାରି ରହିଛି।