ଶାରୀଶୂଆ ପାହାଡରେ ସାଇଣ୍ଟଫିକ ଟିମ

ଖଇରା, ୨୪।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଶାରୀଶୂଆ ପାହାଡର ୭୭ ନମ୍ବର ତଥା ଅନ୍ୟାନ୍ୟ ଖଣି ଉପରେ କଟକ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ର ଚଢାଉର ୧୨ ଘଣ୍ଟା ନ ପୂରୁଣୁ ଆରଏଫଏସଏଲ(ବାଲେଶ୍ୱର ରିଜିଓନାଲ ଫରେନସିକ ସାଇନ୍ସ ଲାବୋରେଟୋରୀ) ଟିମ୍‌ ପୁନଶ୍ଚ ସୋମବାର ପ୍ରତ୍ୟୁଷରେ ଉକ୍ତ ଖଣିକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ସକାଳେ ଏହି ଟିମ୍‌ ଖଣିକୁ ଯାଇ କକୁର ସହାୟତାରେ ଖଣିଖନନ ସମ୍ବନ୍ଧୀୟ ବିଭିନ୍ନ ପରୀକ୍ଷା ନିରୀକ୍ଷା କରିଥିଲେ। ଖଇରା ତହସିଲଦାର ପ୍ରଦୀପ ସାହୁ ଉପସ୍ଥିତ ଥିଲେ । ଖଣିରେ ୱାଗନ ବ୍ଲାଷ୍ଟିଂ ପାଇଁ ବ୍ୟବହୃତ ତାର ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରିଥିଲେ। ପରେ ଏହି ଟିମ୍‌ ଖଇରା ଥାନାକୁ ଯାଇ ଆଇଆଇସି ସୁବ୍ରତ କୁମାର ବେହେରାଙ୍କ ସହ ଚଢାଉ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଥିଲେ। ଏ ସମ୍ପର୍କରେ ଆଇଆଇସି ବେହେରାଙ୍କ ସହ ଆଲୋଚନା ପରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ଙ୍କ ପକ୍ଷରୁ ଖଣି ଚଢାଉ ପରେ ଏକ ମାମଲା (ନଂ. ୪୧/୨୦) ରୁଜୁ କରାଯାଇଛି ଯାହାର ତଦନ୍ତ ଭାର ତାଙ୍କୁ ଅର୍ପଣ କରାଯାଇଛି । ଏହି ଟିମ୍‌ ପକ୍ଷରୁ ଖଣି ଅଞ୍ଚଳ ପରିଦର୍ଶନ ତଦନ୍ତର ଏକ ଅଂଶ ବୋଲି କହିଛନ୍ତି । ରବିବାର କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସ୍‌ପି ତେଜରାଜ ପଟେଲଙ୍କ ନେତୃତ୍ୱରେ ଗଠିତ ଏସ୍‌ଟିଏଫ ପକ୍ଷରୁ ବେଆଇନ ଭାବେ ଚାଲିଥିବା ୭୭ନମ୍ବର ଖଣି ଉପରେ ଚଢାଉ କରାଯାଇ ୩ଟି ଗାଡି ଜବତ କରାଯିବା ସହ ୫ଜଣଙ୍କୁ ଗିରଫ କରାଯାଇଥିଲା ।