Categories: ଖେଳ

ଶାମିଙ୍କ ନାମରେ ଗିରଫ ପରଓ୍ବାନ

କୋଲକାତା, ୩।୯- ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍‌ ଦଳର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ନାମରେ ସୋମବାର ଗିରଫ ପରଓ୍ବାନା ଜାରି ହୋଇଛି। ସ୍ତ୍ରୀ ହାସିନ ଜହାନଙ୍କ ଦ୍ୱାରା ଫାଇଲ୍‌ ହୋଇଥିବା ଘରୋଇ ହିଂସା ମାମଲାରେ ଶାମିଙ୍କ ସମେତ ତାଙ୍କ ଭାଇ ହସିଦ୍‌ ଅହମ୍ମଦଙ୍କ ନାମରେ ମଧ୍ୟ ଗିରଫ ପରଓ୍ବାନା ଜାରି ହୋଇଥିବା ଜଣାପଡ଼ିଛି। ଆଗାମୀ ୧୫ ଦିନ ମଧ୍ୟରେ ଆତ୍ମସମର୍ପଣ ପାଇଁ ପଶ୍ଚିମବଙ୍ଗର ଆଲିପୁରସ୍ଥିତ କୋର୍ଟ ଶାମିଙ୍କୁ ନିର୍ଦ୍ଦେଶ ଦେଇଥିବା ବିଭିନ୍ନ ଜାତୀୟ ଗଣମାଧ୍ୟମ ରିପୋର୍ଟ ପ୍ରକାଶ ପାଇଛି।
୨୦୧୮ରେ ହାସିନ ବେଙ୍ଗଲ ଦ୍ରୁତ ବୋଲର ଶାମିଙ୍କ ନାମରେ ଘରୋଇ ହିଂସା ଅଭିଯୋଗ ଆଣିଥିଲେ। ସେହି ସମୟରେ ଶାମି ଓ ତାଙ୍କ ଭାଇ ହସିଦ୍‌ଙ୍କ ନାମରେ ଆଇପିସି ଧାରା ୪୯୮ଏ’ରେ ମାମଲା ରୁଜୁ ହୋଇଥିଲା। ହାସିନାଙ୍କ ଏହି ଅଭିଯୋଗ ପରେ ଶାମି କୋର୍ଟରେ ହାଜର ହୋଇ ନ ଥିଲେ। ଫଳରେ ଆଲିପୁର କୋର୍ଟରେ ହାଜର ହେବାକୁ ଶାମିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିକଟରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ କ୍ରିକେଟ୍‌ ଦଳର ଆମେରିକା ଗସ୍ତ ସମୟରେ ମଧ୍ୟ ଶାମିଙ୍କୁ ଏହି କାରଣରୁ ଭିଜା ମିଳିବାରେ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ପରେ କିନ୍ତୁ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ହସ୍ତକ୍ଷେପ ଫଳରେ ଶାମିଙ୍କୁ ଆମେରିକା ଭିଜା ମିଳିଥିଲା। ପ୍ରକାଶଯୋଗ୍ୟ, ଗତବର୍ଷ ପ୍ରାରମ୍ଭରେ ଶାମିଙ୍କ ନାମରେ ଯୌତୁକଜନିତ ହିଂସା ସମେତ ଯୌନ ଉତ୍ପୀଡନ ଓ ମ୍ୟାଚ୍‌ ଫିକ୍ସିଂ ଅଭିଯୋଗ ହାସିନା ଆଣିଥିଲେ। ଏହାପରେ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ମ୍ୟାଚ୍‌ ଫିକ୍ସିଂ ମାମଲାରେ ଶାମିଙ୍କୁ କ୍ଲିନଚିଟ୍‌ ପ୍ରଦାନ କରାଯାଇଥିଲା।

Share