Categories: ଖେଳ

ଶାମିଙ୍କୁ ଆଶ୍ୱସ୍ତି:ଏବେ ଗିରଫ ହେବେନି

କୋଲକାତା,୧୦।୯: ଭାରତୀୟ କ୍ରିକେଟ ଟିମର ଷ୍ଟାର୍‌ ପେସ ବୋଲର ମହମ୍ମଦ ଶାମିଙ୍କୁ କୋର୍ଟରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଶାମିଙ୍କ ସ୍ତ୍ରୀ ହାସିନ ଜହାନଙ୍କ ଦ୍ୱାରା ଦାୟର କରାଯାଇଥିବା ଘରୋଇ ହିଂସା ମାମଲାରେ ପଶ୍ଚିମବଙ୍ଗର ଅଲୀପୁଲର କୋର୍ଟ ଏହି ଗିରଫ ୱାରେଣ୍ଟ ଜାରି କରିଥିଲେ। ଏବେ ତାହା ଉପରେ ରୋକ ଲଗାଇଛନ୍ତି କୋର୍ଟ। ଶାମି ଓ ତାଙ୍କ ଭାଇ ହାସିଦ ଅହମ୍ମଦଙ୍କୁ ୧୫ ଦିନ ଭିତରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତ ଶେଷ କରି ଶାମି ଏବେ ଆମେରିକାରେ ଅଛନ୍ତି। ସେ ନିଜ ଓକିଲଙ୍କ ପରାମର୍ଶ ନେଉଛନ୍ତି। ସେପ୍ଟେମ୍ବର ୧୨ରେ ସେ ଭାରତ ଫେରିବେ ବୋଲି ଜଣାପଡିଛି। ଏହି ମାମଲାରେ ଶାମିଙ୍କ ସପକ୍ଷରେ ମତ ଦେଇଛି ବିସିସିଆଇ। ଚାର୍ଜଶିଟ୍‌ ନ ଦେଖିବା ପର୍ଯ୍ୟନ୍ତ ଶାମିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି ବିସିସିଆଇ କହିଛି। ସୂଚନାଯୋଗ୍ୟ, ଶାମିଙ୍କ ବିରୋଧରେ ଘରୋଇ ହିଂସାର ମାମଲା ଦାୟର ହୋଇଛି। ୨୦୧୮ରେ ଶାମିଙ୍କ ଉପରେ ତାଙ୍କ ସ୍ତ୍ରୀ ହାସିନ ମାରପିଟ, ବଳାତ୍କାର, ହତ୍ୟାର ପ୍ରୟାସ ଏବଂ ଘରୋଇ ହିଂସା ଆଦି ଅନେକ ଗୁରୁତର ଅଭିଯୋଗ ଲଗାଇଥିଲେ। ଏହାସହ ତାଙ୍କର ଅନେକ ଯୁବତୀଙ୍କ ସହ ସମ୍ପର୍କ ରହିଛି ବୋଲି କହିଥିଲେ। ଏ ନେଇ ହାସିନ ଶାମିଙ୍କ ବିରୋଧରେ ମକଦ୍ଦମା ମଧ୍ୟ ଦାୟର କରିଛନ୍ତି। ଶାମିଙ୍କର ତଲାକ ମାମଲା ମଧ୍ୟ କୋର୍ଟରେ ଚାଲିଛି।

Share