Categories: ଫୁରସତ

ଶହେ ବର୍ଷ ହେବ ଏଠି ହେଉଛି ମାଛ ବର୍ଷା

କୁଆପଥର ବର୍ଷା କଥା ସମସ୍ତେ ଜାଣିଥିବେ। ହେଲେ ମାଛ ବର୍ଷା କଥା ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗେ। କିନ୍ତୁ ବିଶ୍ୱରେ ଏମିତି ଏକ ସହର ଅଛି ଯେଉଁଠି ପ୍ରତିବର୍ଷ ମାଛ ବର୍ଷା ହୋଇଥାଏ ବୋଲି କୁହାଯାଏ। ଏହା କେବେକେବେ ବର୍ଷକୁ ଥରେ ଅବା ଦୁଇଥର ମଧ୍ୟ ହୋଇଥାଏ। ମେକ୍ସିକୋ ନିକଟରେ ଥିବା ହଣ୍ଡୁରାସରେ ଏମିତି ମାଛ ବର୍ଷା ହୋଇଥାଏ ବୋଲି କୁହାଯାଏ। ଏହା ଦୀର୍ଘ ଶହେ ବର୍ଷ ହେବ ହୋଇ ଆସୁଥିବା କୁହନ୍ତି ସ୍ଥାନୀୟ ଲୋକେ। ଏହା ସାଧାରଣତଃ ବସନ୍ତ ଋତୁର ଶେଷ ବେଳକୁ କିମ୍ବା ଗ୍ରୀଷ୍ମ ଋତୁର ଆରମ୍ଭରେ ହୋଇଥାଏ। ହଣ୍ଡୁରାସ ଆଟଲାଣ୍ଟିକ ସାଗରର ପ୍ରାୟ ୨୦୦କିଲୋମିଟର ପରିସରରେ ଅବସ୍ଥିତ। ତେଣୁ ବୈଜ୍ଞାନିକମାନେ କୁହନ୍ତି ଏଠାରେ ମାଛବର୍ଷାର କାରଣ ହେଉଛି ଆଟଲାଣ୍ଟିକ ସାଗର। ଏମାନେ ପ୍ରବଳ ବର୍ଷା ପରେ ଉପରକୁ ଉଠି ଆସିଥାଆନ୍ତି। ହେଲେ ଏହାକୁ ନେଇ ସ୍ଥାନୀୟ ଲୋକେ କୁହନ୍ତି ଏହା ହେଉଛି ଈଶ୍ୱରଙ୍କ ଚମତ୍କାର। ସେମାନଙ୍କ ମତରେ ୧୯ଶହ ଶତାବ୍ଦୀରେ ଏଠାକାର ଲୋକଙ୍କର ଆର୍ଥିକ ସ୍ଥିତ ବହୁତ ଖରାପ ଥିଲା। ଫଳରେ ଭୋକ ଉପାସରେ ଲୋକଙ୍କର ମୃତ୍ୟୁ ହେଉଥିଲା। ଯାହାକୁ ସହ୍ୟ ପରିପାରି ନ ଥିଲେ ସ୍ପେନର ଜଣେ ପାଦ୍ରି। ଏଥିପାଇଁ ସେ ଲଗାତାର ୩ଦିନ ଓ ୩ରାତି ପ୍ରାର୍ଥନାରେ ବସିଥିଲେ। ସେ ଈଶ୍ୱରଙ୍କୁ କହିଥିଲେ ହଣ୍ଡୁରାସବାସୀଙ୍କ ପାଇଁ କିଛି ଚମତ୍କାର କରନ୍ତୁ। ଏହାପରେ ହଣ୍ଡୁରାସ ଆକାଶରେ କଳା ବାଦଲ ଢାଙ୍କିଦେବା ସହ ପ୍ରବଳ ବର୍ଷା ହୋଇଥିଲା ଏଥିରେ ମାଛ ପଡିଥିଲେ। ସେବେଠାରୁ ଏହି ମାଛ ବର୍ଷା ହେଉଛି ବୋଲି ଲୋକେ କୁହନ୍ତି। ତେବେ ମାଛବର୍ଷା ହେବା ପୂର୍ବରୁ ଏଠାରେ ବିଜୁଳୀ ମାରିବା ସହ ପ୍ରବଳ ବର୍ଷା ହୋଇଥାଏ। ଲୋକେ ବାହାରକୁ ବାହାରିବାକୁ ଭୟ କରିଥାଆନ୍ତି। ଆଉ କିଛି ସମୟ ପରେ ଏହି ବର୍ଷା ଛାଡିଯିବା ପରେ ଆକାଶ ନିର୍ମଳ ହୋଇଯିବା ସହ ଲୋକେ ବାଲ୍‌ଟି ଧରି ବାହାରକୁ ଆସି ରାସ୍ତା ଉପରେ ପଡିଥିବା ମାଛକୁ ଗୋଟାଇ ନେଇଯାଆନ୍ତି। ଏମିତି ବିନା ପରିଶ୍ରମରେ ଓ ବିନା ପଇସାରେ ଲୋକେ ସି-ଫୁଡ୍‌ର ମଜା ନେଇପାରନ୍ତି। ଦୀର୍ଘ ଶହେ ବର୍ଷ ହେବ ହଣ୍ଡୁରାସବାସୀ ଏହି ମାଛ ବର୍ଷାର ମଜା ନେଉଥିବା କୁହାଯାଏ।

Share