ଶହୀଦ ଯବାନଙ୍କ ପାଇଁ ମହାପ୍ରଭୁଙ୍କ ନିକଟରେ ଦୀପଦାନ

ପୁରୀ ଅଫିସ, ୧୭।୬: ଲଦାଖ ସୀମାରେ ଭାରତ-ଚାଇନା ସେନା ମଧ୍ୟରେ ସଂଘର୍ଷ ଘଟି ୨ ଓଡ଼ିଆଙ୍କ ସମେତ ୨୦ ଯବାନ ଶହୀଦ ହୋଇଛନ୍ତି। ଭାରତ ମାତାର ସୁରକ୍ଷା ପାଇଁ ଶହୀଦ ହୋଇଥିବା ବୀର ଯବାନଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ପୁରୀବାସୀଙ୍କ ପକ୍ଷରୁ ମହାପ୍ରଭୁଙ୍କ ନିକଟରେ ବୁଧବାର ଦୀପ ଦାନ କରାଯାଇଛି। ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଏହି ଦୀପଦାନ କରାଯିବା ସହ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଯାଇଛି। ବିଧାୟକ ଷଡ଼ଙ୍ଗୀ କହିଛନ୍ତି, କରୋନା ସହିତ ଲଢ଼େଇ ଚାଲିଥିବା ବେଳେ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଚାଇନା ବର୍ବରତାର ସୀମା ଟପିଛି। ଏ ସମୟରେ ସମସ୍ତେ ଏକଜୁଟ ହୋଇ ସରକାରଙ୍କ ସହିତ ରହିବା। ଚାଇନା ସାମଗ୍ରୀକୁ ସମ୍ପୂର୍ଣ୍ଣ ଭାବେ ବର୍ଜନ କରିବା। ପୁରୀ ବଜାରରେ ଚାଇନା ସାମଗ୍ରୀ ପୁରାଇ ନ ଦେବାକୁ ବିଧାୟକ ବ୍ୟବସାୟୀ ଏବଂ ସହରବାସୀଙ୍କୁ ଅନୁରୋଧ କରିଛନ୍ତି। ର୍ତ୍ତମାନ ସରକାର ଯାହା ନିଷ୍ପତ୍ତି ନେବେ ତାହାକୁ ସମସ୍ତେ ମାନିବା ବୋଲି ସେ କହିଛନ୍ତି।