ଶହୀଦ ବିଭୀଷଣ ସାହୁ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ: ସେମିରେ ବୀରମହାରାଜପୁର

ଅମରପାଲି, ୧୬।୧୦ (ଡି.ଏନ.ଏ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ପଣ୍ଡିଆପାଲି ଖେଳ ପଡିଆରେ ଚାଲିଥିବା ୧୦ମ ଶହୀଦ ବିଭୀଷଣ ସାହୁ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟରେ ବୁଧବାର ତିନୋଟି ମ୍ୟାଚ ଖେଳା ହୋଇଛି। ପ୍ରଥମ ମ୍ୟାଚ ମହଦା ପଞ୍ଚାୟତ ଦଳ ଓ ସହରାପାଲି ମଧ୍ୟରେ ହୋଇଥିଲା। ମହଦା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୫ ଉଇକେଟ ହରାଇ ୯୧ ରନ କରିଥିଲା। ଯବାବରେ ସହରାପାଲି ନିର୍ଦ୍ଧାରିତ ୧୦ଓଭରରେ ୫ଉଇକେଟ ହରାଇ ୭୨ ରନ କରି ପରାସ୍ତ ହୋଇଥିଲା। ଦ୍ୱିତୀୟ ମ୍ୟାଚ ବୀରମହାରାଜପୁର ଓ ନ୍ୟୁଷ୍ଟାର ସୋନପୁର ମଧ୍ୟରେ ହୋଇଥିଲା। ବୀରମହାରାଜପୁର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ଓଭରରେ ୪ ଉଇକେଟ ହରାଇ ୧୨୮ ରନ କରିଥିଲା। ଦଳର ବିଷ୍ଣୁ ୩୪ ବଲରୁ ୮୫ ରନ କରିଥିଲେ। ସୋନପୁର ଦଳ ନିର୍ଦ୍ଧାରିତ ୧୦ ଓଭରରେ ୩ ଉଇକେଟ ହରାଇ ୧୦୦ରନ କରି ପରାସ୍ତ ହୋଇଥିଲା । ଦଳ ପକ୍ଷରୁ ଶକ୍ତି ୪୦ ରନ କରିଥିଲେ। ତୃତୀୟ ମ୍ୟାଚ ପ୍ରଥମ ମ୍ୟାଚ ଓ ଦ୍ୱିତୀୟ ମ୍ୟାଚର ବିଜେତା ଦଳ ମଧ୍ୟରେ ହୋଇଥିଲା। ବୀରମହାରାଜପୁର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭରରେ ୬ ଉଇକେଟ ହରାଇ ୧୧୪ରନ କରିଥିଲା। ଦଳ ପକ୍ଷରୁ ବିଶାଳ ୨୫ ରନ କରିଥିଲେ। ମହଦା ପଞ୍ଚାୟତ ଦଳ ୧୧୫ ରନକୁ ପିଛା କରି ନିର୍ଦ୍ଧାରିତ ୮ ଓଭରରେ ୫ ଉଇକେଟ ହରାଇ ୬୩ ରନ କରିଥିଲା । ବୀରମହାରାଜପୁର ବିଜୟୀ ହୋଇ ତୃତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି।