ଶହୀଦଙ୍କ ପରିବାରକୁ ଭେଟିଲେ ଏମ୍‌ପି : ଅଜିତଙ୍କ ନାମରେ ହେବ ଖେଳପଡ଼ିଆ

କାମାକ୍ଷାନଗର, ୨୩।୬ (ଡି.ଏନ୍‌.ଏ.) – ଅନନ୍ତନାଗ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଶହୀଦ ଅଜିତ ସାହୁଙ୍କ ପରିବାରକୁ ଶନିବାର ଅପରାହ୍ନରେ ଭେଟିଛନ୍ତି ଏମ୍‌ପି ମହେଶ ସାହୁ। ଏପରି କଷ୍ଟକର ସମୟରେ ସମସ୍ତେ ପରିବାର ସହ ଅଛନ୍ତି ବୋଲି ସେ ଶୋକସନ୍ତପ୍ତ ମା’ ବାପା ଏବଂ ଅନ୍ୟ ସମ୍ପର୍କୀୟଙ୍କୁ ଆଶ୍ୱାସନା ଦେଇଛନ୍ତି। ଶହୀଦ୍‌ ଅଜିତ୍‌ଙ୍କ ସ୍ମୃତିରକ୍ଷା ପାଇଁ ଗ୍ରାମ ଖେଳପଡ଼ିଆକୁ ତାଙ୍କ ନାମରେ ନାମିତ କରାଯିବ। ପଡ଼ିଆର ଉନ୍ନତୀକରଣ ସହ ସେଠାରେ ଅଜିତଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ଏଥିପାଇଁ ଆବଶ୍ୟକ ଖର୍ଚ୍ଚ ଏମ୍‌ପିଙ୍କ ହାତପାଣ୍ଠିରୁ କରାଯିବ ବୋଲି ମହେଶ ପ୍ରତିଶ୍ରୁତି ଦେଇଛନ୍ତି।
ଶହୀଦଙ୍କ କଫିନ୍‌ରେ ବିଜେଡି ପତାକା ଘୋଡ଼ାଯିବା ଘଟଣାକୁ ଏମ୍‌ପି ତୀବ୍ର ନିନ୍ଦା କରିଛନ୍ତି। ମରଶରୀରରେ ଜାତୀୟ ପତାକା ଉପରେ ଦଳୀୟ ପତାକା ପଡ଼ିବା ନିନ୍ଦନୀୟ। କୌଣସି ବ୍ୟକ୍ତି ଭାବପ୍ରବଣ ହୋଇ ଏପରି କାର୍ଯ୍ୟ କରିଥାଇପାରନ୍ତି ବୋଲି ସେ କହିଛନ୍ତି। ସେହିପରି ଦେଶରେ ବଢୁଥିବା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ସେ ଭାଜପା ସରକାରଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ସେ କହିଛନ୍ତି, କେନ୍ଦ୍ରରେ ଏନ୍‌ଡିଏ ଶାସନ କାଳରେ ଅଜିତଙ୍କ ଭଳି ୪୭୦ ଯବାନ ଶହୀଦ ହୋଇଛନ୍ତି। ଆତଙ୍କବାଦୀ କାର୍ଯ୍ୟକଳାପ ରୋକିବା ଦିଗରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଆହୁରି ଦୃଢ଼ ହେଉ। ଏ ଦିଗରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି ସେ ମତ ରଖିଛନ୍ତି।
ଏମ୍‌ପିଙ୍କ ଏହି ଗସ୍ତ ସମୟରେ ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟଙ୍କ ରାଷ୍ଟ୍ରୀୟ ସମ୍ପର୍କ ଅଧିକାରୀ ମାତୃପ୍ରସାଦ ମିଶ୍ର, ଜିଲା ଯୁବ ବିଜେଡି ସଭାପତି ଧର୍ମାନନ୍ଦ ପରିଡ଼ା, ପରଜଙ୍ଗ ବ୍ଲକ ଅଧ୍ୟକ୍ଷ ଅକ୍ଷୟ ବେହେରା, ହିନ୍ଦୋଳ ବ୍ଲକ ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁନ୍ତ, ସରପଞ୍ଚ ପଠାଣି ସାମନ୍ତ ଖୁଣ୍ଟିଆ, ସମିତିସଭ୍ୟ ରଶ୍ମିରଞ୍ଜନ ଖୁଣ୍ଟିଆ, ବାରୁଅଁା (କା) ସମିତିସଭ୍ୟ ଦୀପକ ମାହୁନ୍ତ, ଯୁବନେତା ଲିକୁ ନାୟକ, ମଦନ ବେହେରା, ଅଶୋକ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।