ଶସ୍ତ୍ର ଏଣ୍ଟରପ୍ରାଇଜର୍ସ ନିର୍ଦ୍ଦେଶକ ଗିରଫ

ଭୁବନେଶ୍ୱର, ୩୦ା୧୧(ବ୍ୟୁରୋ): ଜମାକାରୀଙ୍କଠାରୁ କୋଟି କୋଟି ଟଙ୍କା ଠକେଇ ଅଭିଯୋଗରେ ଶସ୍ତ୍ର ଏଣ୍ଟରପ୍ରାଇଜର୍ସ ସଂସ୍ଥାର ନିର୍ଦ୍ଦେଶକ ବାଲାରାଜୁ ମଲିକାର୍ଜୁନ ରାଜୁ(୫୪)ଙ୍କୁ ଇଓଡବ୍ଲ୍ୟୁ (ଅର୍ଥନୈତିକ ଅପରାଧ ଶାଖା) ଶୁକ୍ରବାର ଗିରଫ କରିଛି। ଇଓଡବ୍ଲ୍ୟୁର ଏକ ଟିମ୍‌ ଆନ୍ଧ୍ରପ୍ରଦେଶସ୍ଥିତ ତାଙ୍କ ଘରୁ ତାଙ୍କୁ ଗିରଫ କରିବା ପରେ ସ୍ଥାନୀୟ କୋର୍ଟରେ ହାଜର କରିଥିଲା। ଏହାପରେ ତାଙ୍କୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଭୁବନେଶ୍ୱର ଆଣିଥିବା ଜଣାପଡ଼ିିଛି। ତାଙ୍କ ବିରୋଧରେ ଇଓଡବ୍ଲ୍ୟୁ କେସ୍‌ ନଂ-୧୬/୧୧ରେ ଆଇପିସି ଦଫା ୪୬୭, ୪୬୮, ୪୭୧, ୪୨୦, ୪୦୬, ୧୨୦(ବି) ଆଦି ରୁଜୁ କରାଯାଇ ତାଙ୍କୁ ବାଲେଶ୍ୱର ଓପିଆଇଡି କୋର୍ଟକୁ ଚାଲାଣ କରାଯାଇଛି।
ସୂଚନା ଅନୁଯାୟୀ, ଶସ୍ତ୍ର ଏଣ୍ଟରପ୍ରାଇଜର୍ସ ନାମକ ଏକ ସଂସ୍ଥାର ମୁଖ୍ୟ ଅଫିସ ଆନ୍ଧ୍ରପ୍ରଦେଶ ହୋଇଥିବାବେଳେ ୨୦୦୯ରେ ଓଡ଼ିିଶାର ବାଲେଶ୍ୱର, ବାରିପଦା ସମେତ ଅନେକ ସ୍ଥାନରେ ଏହାର ଶାଖା ଅଫିସ ଖୋଲିଥିଲା। ସ୍ବଳ୍ପ ଟଙ୍କା ସଞ୍ଚୟରେ ଅଧିକ ସୁଧ ଦେବା ପାଇଁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲା ଏହି ସଂସ୍ଥା। ଏପରି କି ଟଙ୍କା ଦ୍ୱିଗୁଣିତ କରିଦେବାକୁ ବିଭିନ୍ନ ସ୍କିମ୍‌ କରି ବିଜ୍ଞାପନ ମାଧ୍ୟମରେ ଜମାକାରୀଙ୍କୁ ଲୋଭ ଦେଖାଇଥିଲା। ସାଧାରଣ ଲୋକେ ବିଜ୍ଞାପନ ଦେଖି ଅଧିକ ସୁଧ ଆଶାରେ ୨୦୦୯ରୁ ୨୦୧୦ ମଧ୍ୟରେ କୋଟି କୋଟି ଟଙ୍କା ଜମା କରିଥିଲେ। ହେଲେ ଜମାକାରୀଙ୍କ ଟଙ୍କା ମାଚ୍ୟୁଅର ହେବା ପରେ ସଂସ୍ଥାର କର୍ମକର୍ତ୍ତାମାନେ ସେମାନଙ୍କୁ ଟଙ୍କା ଦେବା ପରିବର୍ତ୍ତେ ଅଫିସରେ ତାଲା ପକାଇ ଫେରାର ହୋଇଯାଇଥିଲେ। ଉକ୍ତ ସଂସ୍ଥା ଏଭଳି ଭାବେ ଓଡ଼ିିଶାରୁ ୨୮କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଟଙ୍କା ନ ପାଇ ଠକେଇର ଶିକାର ହୋଇଥିବା ବାରିପଦା ଟାଉନ ଅଞ୍ଚଳର କ୍ଷୀରୋଦ ଚନ୍ଦ୍ର ବାରିକ ଏ ନେଇ ଇଓଡବ୍ଲ୍ୟୁରେ ୨୦୧୧ ମେ ୨୧ରେ ଏକ ଅଭିଯୋଗ କରିଥିଲେ। ଏହି ଆଧାରରେ ଇଓଡବ୍ଲ୍ୟୁ କେସ୍‌ ନଂ-୧୬/୧୧ରେ ଏକ ମାମଲା ରୁଜୁକରି ତଦନ୍ତ କରିଥିଲା। ପ୍ରଥମେ ସଂସ୍ଥାର ୪ଜଣଙ୍କୁ ଗିରଫ କରାଯାଇଥିଲା। ସେମାନେ ହେଲେ ମ୍ୟାନେଜିଂ ଡାଇରେକ୍ଟର ଭି. ସମ୍ପଥ, ବାରିପଦା ବ୍ରାଞ୍ଚ ଅଫିସର ପ୍ରାର୍ଥସାରଥି ଜେନା, ତପନ ବାରିକ ଏବଂ ସଦାଶିବ ନାୟକ। ଏହି ମାମଲାରେ ନିର୍ଦ୍ଦେଶକ ରାଜୁ ଫେରାର ରହିଥିଲେ। ସେ ଆନ୍ଧ୍ରପ୍ରଦେଶସ୍ଥିତ ନିଜ ଘରେ ରହୁଥିବା ଖବର ପାଇ ଇଓଡବ୍ଲ୍ୟୁ ସେଠାରେ ଚଢାଉ କରି ତାଙ୍କୁ ଗିରଫ କରିଛି। ତାଙ୍କ ଘରୁ ଏକାଧିକ କାଗଜପତ୍ର ଜବତ ହୋଇଥିବା ଜଣାପଡ଼ିିଛି।