ଶରୀରରେ ଆଇଏଲ୍‌-୬ ପ୍ରୋଟିନ୍‌ ଅଧିକ ରହିଲେ ହୁଏ କରୋନା ସଂକ୍ରମଣ

ଓ୍ବାଶିଂଟନ, ୬।୬: କରୋନା ମହାମାରୀ ବିରୋଧରେ ପୃଥିବୀରେ ଲଢ଼େଇ ଜାରି ରହିଛି। କେଉଁ ମାନଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ଆଶଙ୍କା ଅଧିକ ରହିଥାଏ ସେନେଇ ଗବେଷକ ଦିନରାତି ଗବେଷଣା ଜାରି ରଖିଛନ୍ତି। ଲଣ୍ଡନର ଫ୍ରାନ୍ସିସ୍‌ କ୍ରିକ୍‌ ଇନଷ୍ଟିଚ୍ୟୁଟ୍‌ରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ନୂଆ ତଥ୍ୟ ଉଲ୍ଲେଖ କରାଯାଇଛି। ଯେଉଁ ବ୍ୟକ୍ତିଙ୍କ ଶରୀରରେ ଇଣ୍ଟରଲ୍ୟୁକିନ୍‌ ଆଇଏଲ୍‌-୬ ପ୍ରୋଟିନ୍‌ ଅଧିକ ରହିଥାଏ ସେମାନଙ୍କୁ କରୋନା ସଂକ୍ରମଣ ହେବାର ଆଶଙ୍କା ଅଧିକ ରହିଥାଏ ବୋଲି ଏଥିରେ ଦର୍ଶାଯାଇଛି। ଏହି ପ୍ରୋଟିନ୍‌ ଯୋଗୁ ଶରୀରରେ ଯନ୍ତ୍ରଣା ହୋଇଥାଏ। ଯାହାକି କରୋନା ସଂକ୍ରମଣରେ ପ୍ରାୟତଃ ଦେଖାଦେଇଥାଏ। ଇତିମଧ୍ୟରେ ଗବେଷକ ୨୭ ପ୍ରକାର ପ୍ରୋଟିନ୍‌ ଚିହ୍ନଟ କରିସାରିଛନ୍ତି। ଏସବୁ ପ୍ରୋଟିନ୍‌ କରୋନା ଆକ୍ରାନ୍ତଙ୍କୁ ଗୁରୁତର କରିଥାଏ। ଏସବୁ ପ୍ରୋଟିନ୍‌ ସମ୍ପର୍କରେ ରକ୍ତ ପରୀକ୍ଷାରୁ ଜଣାପଡ଼ିଥାଏ। ତେଣୁ କେଉଁ କରୋନା ଆକ୍ରାନ୍ତଙ୍କ ଅବସ୍ଥା ଗୁରୁତର ହେବ ତାହା ରକ୍ତ ପରୀକ୍ଷାରୁ ସହଜରେ ଜଣାପଡ଼ିଯିବ। ସ୍ପେକ୍ଟ୍ରୋମିଟର ଦ୍ୱାରା ବ୍ଲଡ୍‌ ପ୍ଲାଜମାରେ ଥିବା ପ୍ରୋଟିନ୍‌ ସମ୍ପର୍କରେ ସହଜରେ ଜଣାପଡ଼ିଥାଏ। ଗବେଷକ ବର୍ଲିନ୍‌ର କୋଭିଡ୍‌-୧୯ ହସ୍ପିଟାଲରେ ୪୮ ଆକ୍ରାନ୍ତଙ୍କ ଉପରେ ଅଧ୍ୟୟନ କରି ଏହା ଜାଣିପାରିଛନ୍ତି। କରୋନା ସଂକ୍ରମଣ କ୍ଷେତ୍ରରେ ଇଣ୍ଟରଲ୍ୟୁକିନ୍‌ ଆଇଏଲ୍‌-୬ ପ୍ରୋଟିନ୍‌ ଏକ ବାୟୋମାର୍କର ସାବ୍ୟସ୍ତ ହେବ ବୋଲି ଗବେଷକ ଦଳର ନେତୃତ୍ୱ ନେଉଥିବା ଖ୍ରୀଷ୍ଟୋପ୍‌ ମେସନେର ସୂଚନା ଦେଇଛନ୍ତି।

Share