ଶରଣକୂଳ କଙ୍ଗାରୁ କୋର୍ଟ ପ୍ରସଙ୍ଗ: ଗୃହରେ ଭୁଲ୍‌ ତଥ୍ୟ ଦେଇଥିବାରୁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ଭୁବନେଶ୍ୱର,୧୪।୧(ବ୍ୟୁରୋ): ନୟାଗଡ଼ ଜିଲା ଶରଣକୂଳ ଥାନା ଖଲିପାଟଣା ଗ୍ରାମର ପ୍ରାୟ ୧୫ ପରିବାର ୨୦୦୭ ମସିହାରୁ କଙ୍ଗାରୁ କୋର୍ଟର ଶିକାର ହୋଇ ଗ୍ରାମ ବାହାରେ ରହୁଛନ୍ତି। ଏହି ଘଟଣାକୁ ନେଇ ରଣପୁର ବିଧାୟକ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ପ୍ରଶ୍ନ କରିଥିଲେ। ମନ୍ତ୍ରୀ ଉତ୍ତରରେ ରଖିଥିବା ତଥ୍ୟକୁ ମଙ୍ଗଳବାର କଂଗ୍ରେସ ନିନ୍ଦା କରିବା ସହ ଭୁଲ୍‌ ତଥ୍ୟ ଦେଇଥିବାରୁ ନୈତିକତା ଦୃଷ୍ଟିରୁ ମନ୍ତ୍ରୀ ଦିବ୍ୟଶଙ୍କର ଇସ୍ତଫା ଦିଅନ୍ତୁ ବୋଲି ଦଳର ନେତା ସତ୍ୟ ପ୍ରକାଶ ନାୟକ ଦାବି କରିଛନ୍ତି।

ପ୍ରକାଶଯୋଗ୍ୟ, ଖଲିପାଟଣା ଗ୍ରାମର ୧୫ ପରିବାର କଙ୍ଗାରୁ କୋର୍ଟର ଶିକାର ହୋଇ ୧୩ ବର୍ଷ ଧରି ବାହାରେ ରହୁଛନ୍ତି। ସେମାନେ ଏନେଇ ରାଜ୍ୟ ମାନବାଧିକାର କମିଶନ, ଉଚ୍ଚ ନ୍ୟାୟାଳୟ, ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲେ। ଏହାପରେ ରାଜ୍ୟ ମାନବାଧିକାର କମିଶନ ଓ ଉଚ୍ଚ ନ୍ୟାୟାଳୟ ଗ୍ରାମରେ ଶାନ୍ତି ଫେରିବା ସହ କଙ୍ଗାରୁ କୋର୍ଟର ଶିକାର ହୋଇଥିବା ପରିବାରଗୁଡ଼ିକୁ ଗ୍ରାମରେ ପୁନଃ ଥଇଥାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ରାଜ୍ୟ ସରକାର ଅବମାନନା କରିବା ପରେ ଜାତୀୟ ମାନବାଧିକାର କମିଶନ ନୟାଗଡ଼ ଜିଲାପାଳ ଏବଂ ଏସ୍‌ପିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ଏଥିସହ ଏ ଦିଗରେ ଜିଲା ପ୍ରଶାସନ କି ପଦକ୍ଷେପ ନେଇଛି ତାହାର ସିଧାସଳଖ ଉତ୍ତର ମାଗିଥିଲେ। ବିଧାନସଭା ପ୍ରଶ୍ନକାଳରେ ବିଧାୟକ ସତ୍ୟ ନାରାୟଣ ପ୍ରଧାନ ପରିବାରଗୁଡ଼ିକ କେଉଁଠି ରହୁଥିବା ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ମନ୍ତ୍ରୀ ସେମାନେ ଖଲିପାଟଣା ଗ୍ରାମରେ ରହୁଥିବା ପ୍ରକାଶ କରିଥିଲେ। ମଙ୍ଗଳବାର କଂଗ୍ରେସ ଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଉକ୍ତ ପରିବାରଗୁଡ଼ିକ ମଧ୍ୟରୁ ଦୁଇଜଣ ମହିଳା ଉପସ୍ଥିତ ରହି ଦୟନୀୟ ଅବସ୍ଥାରେ ବାହାରେ ଏବେ ବି ଜୀବନଯାପନ କରୁଥିବା କହିଛନ୍ତି। ଏହାକୁ ନେଇ କଂଗ୍ରେସ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି।