ଶପଥ ନେଲେ ନୂଆ ବିଧାୟକ: କାମଚଳା ବାଚସ୍ପତି ଶପଥପାଠ କରାଇଲେ

ଭୁବନେଶ୍ୱର,୩୦ା୫(ବ୍ୟୁରୋ)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ମନ୍ତ୍ରୀ ମଣ୍ଡଳର ସଦସ୍ୟମାନେ ବୁଧବାର ଶପଥ ନେବା ପରେ ଗୁରୁବାର ନବନିର୍ବାଚିତ ବିଧାୟକମାନେ ଶପଥ ନେଇଛନ୍ତି। କାମଚଳା ବାଚସ୍ପତି ଅମର ଶତପଥୀ ବିଧାନସଭାରେ ବିଧାୟକମାନଙ୍କୁ ଶପଥପାଠ କରାଇଛନ୍ତି । ଏହି ଶପଥପାଠ କାର୍ଯ୍ୟକ୍ରମ ଦୁଇ ଦିନ ଧରି ଚାଲିବ।
ଗୁରୁବାର ପୂର୍ବାହ୍ନ ୧୦ଟା ୫୧ ମିନିଟରେ ଶପଥ ଗ୍ରହଣ ଆରମ୍ଭ ହୋଇଥିଲା। ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାମଚଳା ବାଚସ୍ପତି ଶପଥପାଠ କରାଇଥିଲେ। ଏହା ପରେ ବିଜେଡି ବିଧାୟକ ବିକ୍ରମ ଆରୁଖ, ଅରୁଣ ସାହୁ, ସୁଦାମ ମାର୍ଣ୍ଡି, ପ୍ରତାପ ଜେନା, ବଦ୍ରି ନାରାୟଣ ପାତ୍ର, ଅନନ୍ତ ଦାସ, ପ୍ରଫୁଲ୍ଲ ମଲ୍ଲିକ, ଭୂପିନ୍ଦର ସିଂ, ନିତ୍ୟାନନ୍ଦ ସାହୁ, ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ, ଧ୍ରୁବ ଚରଣ ସାହୁ, ଶ୍ରୀକାନ୍ତ ସାହୁ , ଶଶିଭୂଷଣ ବେହେରା, ପ୍ରଣବ ପ୍ରକାଶ ଦାସ, ଭାଗୀରଥି ସେଠୀ, ପ୍ରଣବ ବଳବନ୍ତ ରାୟ, ରଘୁ ନନ୍ଦନ ଦାସ, ପ୍ରମିଳା ମଲ୍ଲିକଙ୍କ ସମେତ ପର୍ଯ୍ୟାୟକ୍ରମେ ଜଣକ ପରେ ଜଣେ ୧୦୬ ଜଣ ବିଧାୟକଙ୍କୁ କାମଚଳା ବାଚସ୍ପତି ଶପଥପାଠ କରାଇଛନ୍ତି । ସେଥିରେ ବିଜେଡିର ୯୩ ଜଣ, ଭାଜପାର ୬, କଂଗ୍ରେସର ୬ ଜଣ ଏବଂ ଜଣେ ସ୍ବାଧୀନ ବିଧାୟକ ଶପଥ ନେଇଛନ୍ତି। କଂଗ୍ରେସର ବରିଷ୍ଠ ନେତାଙ୍କ ମଧ୍ୟରେ ନରସିଂହ ମିଶ୍ର, ସୁରେଶ କୁମାର ରାଉତରାୟ, ତାରା ପ୍ରସାଦ ବାହିନୀପତି, ଭାଜପାର ଜୟନାରାୟଣ ମିଶ୍ର, ମଦନମୋହନ ଦତ୍ତ, ସନାତନ ବିଜୁଳି, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, କେ. ନାରାୟଣ ରାଓ, ସୁକାନ୍ତ ନାଏକ, ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି ପ୍ରମୁଖ ଶପଥ ନେଇଛନ୍ତି । ଅନ୍ୟମାନଙ୍କୁ ଶୁକ୍ରବାର କାମଚଳା ବାଚସ୍ପତି ଶପଥପାଠ କରାଇବେ।