କୋଲକାତା,୯।୫: ବରିଷ୍ଠ ଭାଜପା ନେତା ଶୁଭେନ୍ଦୁ ଅଧିକାରୀ ଶୁକ୍ରବାର ପଶ୍ଚିମବଙ୍ଗ ଭାଜପା ବିଧାୟକ ଦଳ ନେତା ନିର୍ବାଚିତ ହେବା ସହ ରାଜ୍ୟର ପ୍ରଥମ ଭାଜପା ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ସେ ଶନିବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଶପଥ ନେବା ପୂର୍ବରୁ ଶୁଭେନ୍ଦୁ ଏକ ବଡ଼ କଥା କହିଦେଇଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ସେ କହିଛନ୍ତି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ଆନନ୍ଦର ସହର’ରେ ସ୍ବାଗତ କରିବା ଏକ ଅତ୍ୟନ୍ତ ଗର୍ବ ଏବଂ ଆନନ୍ଦର ମୁହୂର୍ତ୍ତ। ଆଜି ସ୍ବାଧୀନତା ପରେ ପଶ୍ଚିମବଙ୍ଗରେ ପ୍ରଥମ ଭାଜପା ସରକାରଙ୍କ ଶପଥ ଗ୍ରହଣ ସମାରୋହର ସାକ୍ଷୀ ହୋଇ, ଆମେ ଆମର ପ୍ରତିଷ୍ଠାତାଙ୍କ ସ୍ବପ୍ନକୁ ସାକାର କରୁଛୁ। ଆଜି ଦଶନ୍ଧି ଧରି ଚାଲିଥିବା କୁଶାସନର ଅନ୍ତ ଏବଂ ବିକାଶ, ଶାନ୍ତି ଏବଂ ସମୃଦ୍ଧିର ‘ଡବଲ-ଇଞ୍ଜିନ’ ଯୁଗର ଆରମ୍ଭ। ‘ସୋନାର ବଙ୍ଗଳା’ ଯୁଗ ଆନୁଷ୍ଠାନିକ ଭାବରେ ଆରମ୍ଭ ହେଉଛି। ସ୍ବାଗତ, ପ୍ରଧାନମନ୍ତ୍ରୀ।
ସୂଚନାଯୋଗ୍ୟ, ଭାଜପା ବିଧାୟକ ଦଳ ବୈଠକରେ ଶୁଭେନ୍ଦୁଙ୍କ ନାମ ପ୍ରସ୍ତାବ ଦିଆଯିବା ପରେ ନବନିର୍ବାଚିତ ଭାଜପା ବିଧାୟକ ଏବଂ ବରିଷ୍ଠ ଦଳୀୟ ନେତାମାନେ ସର୍ବସମ୍ମତ ସମର୍ଥନ ଜଣାଇଥିଲେ। ଶୁଭେନ୍ଦୁ ବିଧାୟକ ଦଳ ନେତା ନିର୍ବାଚିତ ହେଲେ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଘୋଷଣା କରିଥିଲେ। ଏହି ଅବସରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସହପର୍ଯ୍ୟବେକ୍ଷକ ଭାବେ ଉପସ୍ଥିତ ଥିଲେ। ତେବେ ମୋଟ ୮ଟି ପ୍ରସ୍ତାବ ଆସିଥିବାବେଳେ ସବୁଥିରେ ଗୋଟିଏ ନାମ ଥିଲା। ଦ୍ୱିତୀୟ ନାମ ପାଇଁ ପର୍ଯ୍ୟାପ୍ତ ସମୟ ଦିଆଯିବା ସତ୍ତ୍ୱେ ଅନ୍ୟ କୌଣସି ନାମ ପ୍ରସ୍ତାବ ଆସି ନ ଥିଲା। ତେଣୁ ଶୁଭେନ୍ଦୁଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଘୋଷଣା କରାଗଲା ବୋଲି ବୈଠକ ଶେଷରେ ଶାହା କହିଥିଲେ। ବିଧାନସଭା ନିର୍ବାଚନରେ ଭାଜପାର ବିପୁଳ ବିଜୟ ପରେ ରାଜ୍ୟରେ ତୃଣମୂଳ କଂଗ୍ରେସର ୧୫ ବର୍ଷ ଶାସନର ଅନ୍ତ ହୋଇଛି।
ଏକଦା ଟିଏମ୍ସି ସୁପ୍ରିମୋ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଥିବା ଶୁଭେନ୍ଦୁ ୨୦୨୦ ଡିସେମ୍ବରରେ ଭାଜପାରେ ଯୋଗଦେଇଥିଲେ। ପଶ୍ଚିମବଙ୍ଗରେ ଭାଜପା ପ୍ରଚାରର ସେ କେନ୍ଦ୍ରୀୟ ଚେହେରା ଥିଲେ ଏବଂ ସାରା ରାଜ୍ୟରେ ଦଳୀୟ ସଂଗଠନକୁ ସମ୍ପ୍ରସାରଣ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ୨୦୨୧ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମ ଆସନରେ ମମତାଙ୍କୁ ପରାଜିତ କରିବା ପରେ ଶୁଭେନ୍ଦୁଙ୍କ ରାଜନୈତିକ ପ୍ରତିଷ୍ଠା ଦ୍ରୁତଗତିରେ ବଢ଼ିଥିଲା। ନିକଟରେ ଶେଷ ହୋଇଥିତ୍ବା ନିର୍ବାଚନରେ ସେ ଭବାନୀପୁର ଆସନରେ ମମତାଙ୍କୁ ୧୫,୦୦୦ରୁ ଊର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି। ଏଥିସହିତ ସେ ନନ୍ଦିଗ୍ରାମ ଆସନରେ ମଧ୍ୟ ବିଜୟୀ ହୋଇଛନ୍ତି। ୯ ତାରିଖରେ କୋଲକାତାର ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଟରେ ନୂଆ ଭାଜପା ସରକାର ଶପଥ ନେବାକୁ ଯାଉଥିବାବେଳେ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶାହା, ଏନ୍ଡିଏ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଓ ବହୁ ବରିଷ୍ଠ ଭାଜପା ନେତା ଉପସ୍ଥିତ ରହିବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ଶୁଭେନ୍ଦୁଙ୍କ କ୍ୟାବିନେଟ୍ରେ ଜଣେ ମହିଳାଙ୍କ ସମେତ ୨ ଜଣ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ ହୋଇପାରନ୍ତି ବୋଲି ସୂତ୍ରରୁ ଜଣାପଡ଼ିଛି।
A historic dawn for West Bengal indeed.
It is a moment of profound pride and jubilation to welcome Visionary Leader Hon’ble PM Shri @narendramodi Ji to the City of Joy.
Today, as we witness the Swearing-in-Ceremony of the first-ever BJP Government in West Bengal since… pic.twitter.com/XCuJxwPBw3— Suvendu Adhikari (@SuvenduWB) May 9, 2026
Dharitri – Odisha’s No.1 Odia Daily

