ଶତାଧିକ ଅଦିବାସୀଙ୍କ ନାମରେ ବ୍ୟାଙ୍କରୁ ଋଣ ଠକେଇ

ମାଲକାନଗିରି,୩ା୩ (ଡି.ଏନ.ଏ.)
ମାଲକାନଗିରି ଜିଲାରେ ଦିନକୁ ଦିନ ଠକ ଏବଂ ଦଲାଲଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ସେମାନେ ଜିଲାର ଆଦିବାସୀଙ୍କୁ ଟର୍ଗେଟ୍‌ କରୁଛନ୍ତି। ନିରୀହ ସରଳ ଆଦିବାସୀଙ୍କ ମନରେ ବିଶ୍ୱାସ ଜନ୍ମାଇ ସେମାନଙ୍କୁ ବିଭିନ୍ନ ଭାବରେ ଠକୁଛନ୍ତି। ସେମାନଙ୍କ ନାମରେ ହୋଇଥିବା ଏପରି ଏକ ବ୍ୟାଙ୍କ ଠକେଇ ଏବେ ପଦାକୁ ଆସିଛି। ସଦର ବ୍ଲକ ଚାଲାଣଗୁଡା ପଞ୍ଚାୟତ ତାଳପଦର, ଟିଟିବେରି, ପାହାଡଗୁଡା, କୋଡେଲ୍‌ପାଲି, ମାସାଗୁଡା, ଆଲୁର୍‌ ଆଦି ଆଦିବାସୀ ଗ୍ରାମରେ ବସବାସ କରୁଥିବା ଶତାଧିକ ଆଦିବାସୀଙ୍କୁ ଏପରି ଶୋଷଣ କରାଯାଇଛି। ତଣ୍ଡାପାଲି ଗ୍ରାମର ଗଙ୍ଗା ମାଡକାମି ସେମାନଙ୍କ ନିକଟରେ ପହଞ୍ଚତ୍ ବର୍ଷାରେ ନଷ୍ଟ ହୋଇଯାଇଥିବା ଧାନ ଏବଂ ଭାଙ୍ଗିରୁଜି ଯାଇଥିବା ଘର ପାଇଁ ସରକାର ଅନୁଦାନ ଦେଉଛନ୍ତି। ସେମାନେ ଏଥିରୁ ଲାଭ ଉଠାଇବା ଉଚିତ୍‌ ବୋଲି ଆଦିବାସୀମାନଙ୍କୁ ପ୍ରବର୍ତ୍ତାଇଥିଲେ। ସେମାନଙ୍କ ପଟ୍ଟା ସଂଗ୍ରହ କରିବା ସହ କେତେକ କାଗଜପତ୍ରରେ ଦସ୍ତଖତ ଓ ଟିପ ଚିହ୍ନ ନେଇଥିଲେ। ପ୍ରଥମ ପର୍ଯ୍ୟାୟରେ ୧୦ ଜଣଙ୍କ ପଟ୍ଟା ଏବଂ ନଥିପତ୍ର କରି ସେମାନଙ୍କ ମଧ୍ୟରୁ କାହାକୁ କେମିତି ୨/୫ ହଜାର ଟଙ୍କା ଦେଇଥିଲେ। ା ଏହା ଜାଣିବା ପରେ ଟିଟି ବେରି ସହ ଅନ୍ୟ ଗ୍ରାମର ଲୋକମାନେ ମଧ୍ୟ ଗଙ୍ଗାଙ୍କୁ ସରକାରଙ୍କ ସହାୟତା ପାଇବା ଆଶାରେ ସେମାନଙ୍କ ଜମିପଟ୍ଟା ଏବଂ କାଗଜପତ୍ରରେ ଦସ୍ତଖତ ଦେଇଥିଲେ। ଗଙ୍ଗା ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ୨/୩ ହଜାର ଲେଖାଏ ଟଙ୍କା ଦେଇ ସେମାନଙ୍କ ପଟ୍ଟା ଫେରାଇଥିଲେ। ମାତ୍ର ୪ ବର୍ଷ ପରେ ମାଲକାନଗିରି ୟୁନିୟନ ବ୍ୟାଙ୍କ ପକ୍ଷରୁ ସମ୍ପୃକ୍ତ ଆଦିବାସୀଙ୍କ ନାମରେ ତୁରନ୍ତ ଋଣ ଶୁଝିବା ପାଇଁ ନୋଟିସ ଆସିଛି। ପ୍ରତ୍ୟେକଙ୍କ ନାମରେ ୩୦/୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ଉଠାଯାଇଛି। ଏବେ ଏହା ସୁଧ ସହ ଶୁଝିବାକୁ ବ୍ୟାଙ୍କ କହିଛି। ତେବେ କେତେକଙ୍କ ନାମରେ ୮୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଶୁଝିବାକୁ ନୋଟିସ ଆସିଛି। ଏହି ନୋଟିସ୍‌ ପାଇବା ପରେ ଆମେ ଚାଷ ପାଇଁ କେହି ଋଣ ଆଣି ନ ଥିଲୁ। ବର୍ଷା ଦିନେ ଆମର ଘର ଏବଂ ଧାନ ନଷ୍ଟ ହୋଇଯିବାରୁ ସରକାର ଆମକୁ ସାହାଯ୍ୟ କରିଛନ୍ତି ବୋଲି କହିଛନ୍ତି। ତଣ୍ଡାପାଲି ଗ୍ରାମର ଗଙ୍ଗା ମାଡକାମି ଆମର ପଟ୍ଟା ନେଇ କାହାକୁ ୨ ହଜାର, ୩ ହଜାର ଓ ୪ ହଜାର ଟଙ୍କା ଦେଇଥିଲେ ବୋଲି ସେମାନେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ସୋମବାର ପାହାଡଗୁଡା ଗ୍ରାମର ସୁଲା ମାଢି, ଟିଟିବେରିର ଗଙ୍ଗା ପଡିଆମି, ରାମ କାର୍ତ୍ତାମି, ଇର୍ମା ପଡିଆମି, ଜଗା ମାଢି, ଦେବା ମାଢି, ସଞ୍ଜୟ ମାଢି, ଇର୍ମା କରାମିଙ୍କ ସହ ୫୦ରୁ ଊର୍ଦ୍ଧ୍ୱ ଆଦିବାସୀ ଚାଲାଣଗୁଡା ସରପଞ୍ଚ ପୁଷ୍କାରାଣୀ ପଡିଆମିଙ୍କ ନେତୃତ୍ୱରେ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜିଲାପାଳଙ୍କୁ ଭେଟି ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ଜିଲାପାଳ ମନୀଷ ଅଗ୍ରଓ୍ବାଲ ଅଭିଯୋଗକାରୀଙ୍କଠାରୁ ସମସ୍ତ ଘଟଣା ଶୁଣିବା ପରେ ଅତିରିକ୍ତ ଜିଲାପାଳ ବୀରସେନ ପ୍ରଧାନଙ୍କୁ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।