ଶଟ୍‌ଡାଉନ୍‌: ଜୀବନଯାତ୍ରା ପ୍ରଭାବିତ, ରଜ ମଉଜ ଫିକା

ବ୍ରହ୍ମପୁର ଅଫିସ,୧୩ା୬: ଗଞ୍ଜାମ ଜିଲାରେ କରୋନା ସଂକ୍ରମଣ ବନ୍ଦ ହେବାର ନାଁ ନେଉନାହିଁ । ପ୍ରତିଦିନ ଏହା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି କରୋନାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଜୁନ୍‌ ମାସ ପ୍ରତି ସପ୍ତାହର ଶେଷ ଦୁଇଦିନ ଅର୍ଥାତ ଶନିବାର ଓ ରବିବାର ସମ୍ପୂର୍ଣ୍ଣ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଶଟ୍‌ଡାଉନ୍‌ର ପ୍ରଥମ ଦିନ ମହାନଗରରେ ଏହାର ଜୋରଦାର ପ୍ରଭାବ ଦେଖିବାକୁ ମିଳିଥିଲା। ମେଡିକାଲ କାମ ବ୍ୟତୀତ ଘରୁ କେହି ବାହାରି ନାହାନ୍ତି। ସହରରେ ଥିବା ସମସ୍ତ ଦୋକାନ,ବଜାର, ମାର୍କେଟ କମ୍ପ୍ଲେକ୍ସ ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ବନ୍ଦ ରହିଥିଲା। ଦୁଇ ଦିନିଆ ଶଟ୍‌ଡାଉନ୍‌ ଯୋଗୁ ଶନିବାର ରାସ୍ତାଘାଟ ଶୂନ୍‌ଶାନ ରହିଥିବା ବେଳେ ବିଭିନ୍ନ ଛକରେ ପୋଲିସ ମୁତୟନ ରହିଥିଲା। ଏପରିକି ସହରର ବିଭିନ୍ନ ଗଳିରେ ପୋଲିସ ପାଟ୍ରୋଲିଂ କରିବା ସହ ଲୋକମାନଙ୍କୁ ଘରୁ ଜରୁରୀ କାମ ବିନା ବାହାରକୁ ନ ବାହାରିବାକୁ ସଚେତନ କରିଥିଲା। ଶଟ୍‌ଡାଉନ୍‌ ବେଳେ ମେଡିକାଲ, ପେଟ୍ରୋଲ ପମ୍ପ, ଔଷଧ ଦୋକାନ ଭଳି କିଛି ଜରୁରୀ ସେବା ଖୋଲା ରହିବା ପାଇଁ ଅନୁମତି ରହିଥିଲା। ସହରର ଅନ୍ନପୂର୍ଣ୍ଣା ମାର୍କେଟ,ବଡ଼ବଜାର ହୋଲସେଲ ତେଜରାତି ବଜାର, ଗିରି ମାର୍କେଟ, ସାନ ବଜାରର ସମସ୍ତ ଦୋକାନ ବନ୍ଦ ରହିଥିଲା। ସେହିପରି ମର୍ଦ୍ଧରାଜ ଭେଣ୍ଡିଂ ଜୋନ୍‌ ,ବିଜିପୁର ଓ ଗେଟ୍‌ ବଜାର ପରିବା ମାର୍କେଟ ବନ୍ଦ ରହିଥିଲା।
ଅନ୍ୟପକ୍ଷରେ ରଜ ପାଇଁ ମହାନଗରବାସୀଙ୍କ ମନରେ ଉତ୍ସୁକତା ଲାଗି ରହିଥିବାବେଳେ ଦୁଇଦିନିଆ ଶଟ୍‌ଡାଉନ୍‌ ଏବେ ରଜ ମଉଜକୁ ଫିକା କରିଦେଇଛି। ଏହି ଦୁଇ ଦିନିଆ ଶଟ୍‌ଡାଉନ୍‌ ଘୋଷଣା ଯୋଗୁ ସହରବାସୀ ନିୟମ ପାଳନ କରି ଘରେ ସମୟ ବିତାଉଛନ୍ତି। କାଁ ଭାଁ କେଉଁଠି ବାଇକ୍‌ଚାଳକଙ୍କୁ ଦେଖିବାକୁ ମିକିଥିଲା। ଯେଉଁମାନେ ବିନା କାରଣରେ ରାସ୍ତାରେ ବୁଲୁଥିଲେ ସେମାନଙ୍କୁ ପୋଲିସ ଅଟକାଇ ପଚରାଉଚରା କରିଥିଲା। ରବିବାର ଶଟ୍‌ଡାଉନ୍‌ର ଦ୍ୱିତୀୟ ଦିନ ଥିବା ବେଳେ ନିୟମ କଡ଼ାକଡ଼ି ପାଳନ କରାଯିବ ବୋଲି ଅତିରିକ୍ତ ଏସ୍‌ପି ପ୍ରଶାନ୍ତ କୁମାର ମିଶ୍ର ସୂଚନା ଦେଇଛନ୍ତି।