Categories: ଫୁରସତ

ଲ୍ୟୁକୋଡର୍ମା କଣ୍ଢେଇ

ଭିଟିଲିଗୋ ବା ଲ୍ୟୁକୋଡର୍ମା, ଏକ ଏଭଳି ଚର୍ମରୋଗ ଯେଉଁଥିରେ ଚର୍ମର କିଛି କିଛି ଭାଗର ପିଗମେଣ୍ଟ ବା ବର୍ଣ୍ଣ କୋଷିକା ମୃତ କିମ୍ବା କାର୍ଯ୍ୟ କରିବାରେ ଅସମର୍ଥ ହୋଇ ଧଳା ଧଳା ଚିହ୍ନ ହୋଇଯାଏ। ଏଭଳି ହେବାର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ। ହେଲେ ଏଥିରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ସମାଜ ଏକ ଭିନ୍ନ ଦୃଷ୍ଟିରେ ଦେଖିଥାଏ। ବ୍ରାଜିଲର ୬୪ ବର୍ଷୀୟ ଜୋଆଓ ଷ୍ଟାଙ୍ଗନେଲି ମଧ୍ୟ ଏହି ରୋଗରେ ଆକ୍ରାନ୍ତ। ସେ ଚାକିରିରୁ ଅବସର ନେବା ପରେ କିଛି ହବି ଆପଣେଇ ସମୟ ଅତିବାହିତ କରିବାକୁ ଚାହିଁଲେ। ଆଉ ସେ ଉଲ୍‌ ଓ କ୍ରୁସ୍‌ରେ ବୁଣାବୁଣି ଆରମ୍ଭ କଲେ। ଯଦିଓ ପ୍ରଥମେ ଏହା କଷ୍ଟ ଅନୁଭବ ହୋଇଥିଲା, ପରେ ସେ ଏହାର ପ୍ରେମରେ ପଡିଗଲେ। ଆଉ କ୍ରୁସ୍‌ବୁଣା କଣ୍ଢେଇ ତିଆରି କରିବାକୁ ଲାଗିଲେ। ପ୍ରଥମ କଣ୍ଢେଇଟି ସେ ନିଜ ନାତୁଣୀକୁ ଦେବା ପାଇଁ ତିଆରି କରିଥିଲେ। ଆଉ ତାକୁ ଖାସ୍‌ କରିବା ପାଇଁ କଣ୍ଢେଇକୁ ନିଜ ଭଳି ଲ୍ୟୁକୋଡର୍ମାରେ ଆକ୍ରାନ୍ତ ଲୁକ୍‌ ଦେଲେ। ଯେଉଁଥିରେ ଧଳା ପ୍ୟାଚ୍‌ ଥିଲା। ଏହାପରେ ସେ ଏଭଳି ଅନେକ କଣ୍ଢେଇ ତିଆରି କଲେ। ଉଦ୍ଦେଶ୍ୟ ଥିଲା ଏହି ରୋଗରେ ଆକ୍ରାନ୍ତ ପିଲାମାନେ ଏଭଳି କଣ୍ଢେଇ ଦେଖି ଖୁସି ହେବେ ଓ ନିଜ ସ୍ଥିତିକୁ ନେଇ ମନ ଦୁଃଖ କରିବେ ନାହିଁ। ଏବେ ତାଙ୍କର ଏହି କଣ୍ଢେଇର ଅନଲାଇନ୍‌ରେ ବହୁତ ଡିମାଣ୍ଡ ଅଛି। ଜୋଆଓ ଏବେ କେବଳ ଲ୍ୟୁକୋଡର୍ମା କଣ୍ଢେଇ ତିଆରି କରୁ ନାହାନ୍ତି ବରଂ ହ୍ବିଲଚେୟାରରେ ବସିଥିବା କଣ୍ଢେଇ ଏବଂ ବିଭିନ୍ନ ଶାରୀରିକ ଅକ୍ଷମ ଥିବା କଣ୍ଢେଇ ବି ତିଆରି କରୁଛନ୍ତି।

Share