Categories: ଜାତୀୟ

ଲ୍ୟାଣ୍ଡର ବିକ୍ରମ ସହ ସମ୍ପର୍କ ନ କରିପାରି ପ୍ରୟାଗରାଜରେ ସଫ୍ଟ ଲ୍ୟାଣ୍ଡିଂ କଲେ ଯୁବକ

ପ୍ରୟାଗରାଜ,୧୯।୯: ପ୍ରୟାଗରାଜରେ ୩ଦିନରୁ ଜାରି ରହିଥିବା ଡ୍ରାମା ବୁଧବାର ଶେଷ ହୋଇଛି। ଫିଲ୍ମ ସୋଲେରେ ଯେଉଁଭଳି ଧର୍ମେନ୍ଦ୍ର ଟାଓ୍ବାର ଉପରେ ଚଢ଼ି ବାସନ୍ତୀ ସହ ବିବାହ ପାଇଁ ଜିଦ୍‌ ଧରିଥିଲେ। ସେହିପରି ଚନ୍ଦ୍ରକୁ ଯାଇଥିବା ବିକ୍ରମ ଲ୍ୟାଣ୍ଡର ସହ ସମ୍ପର୍କ କରିବା ପାଇଁ ଜଣେ ଯୁବକ ମଧ୍ୟ ଏଭଳି ଏକ ଅଜବ ପଦକ୍ଷେପ ଆପଣାଇଛନ୍ତି। ଯାହା ଏବେ ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାଯୋଗ୍ୟ, ସୋମବାର ରାତିରେ ପ୍ରୟାଗରାଜ ଯମୁନା ବ୍ରିଜର ଏକ ଟାଓ୍ବାର ଉପରେ ରଜନୀକାନ୍ତ ନାମକ ଯୁବକ ତ୍ରିରଙ୍ଗା ଧରି ଚଢ଼ିବା ସହ ତପସ୍ୟା କରିଥିଲେ। ବିକ୍ରମ ସହ ଇସ୍ରୋର ସମ୍ପର୍କ ଶୀଘ୍ର କରାଇଦେବା ପାଇଁ ରଜନୀକାନ୍ତ ଚନ୍ଦ୍ରକୁ ପ୍ରାର୍ଥନା କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ତଳକୁ ଓହ୍ଲାଇବାକୁ ନିବେଦନ କରିଥିଲେ। ହେଲେ ଯୁବକ ଜଣକ କାହାରି କଥା ଶୁଣି ନ ଥିଲେ। ତେବେ ବୁଧବାର ଯୁବକଙ୍କୁ କ୍ରେନ ସାହାଯ୍ୟରେ ପୋଲିସ ତଳକୁ ଆଣିଛି। ଅନ୍ୟପଟେ ବିକ୍ରମ ସହ ସର୍ମ୍ପକ କରିବା ପାଇଁ ଇସ୍ରୋ ଦିନ ରାତି ଏକ କରି ଦେଇଥିବା ବେଳେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share