ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପ : ୪ ଦଫାରେ କେନ୍ଦ୍ରିତ ହେଲା ଦାବି

ବଲାଙ୍ଗୀର ଅଫିସ,୨୫ା୨
ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପ ସକାଶେ ସୋମବାର ଜିଲା ପ୍ରଶାସନ ସହ ପ୍ରକଳ୍ପ ପ୍ରଭାବିତ ବୁଡିଅଞ୍ଚଳବାସୀଙ୍କ ଏକ ଆଲୋଚନା ସ୍ଥାନୀୟ ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା ା ଜିଲାପାଳ ଅରିନ୍ଦମ ଡାକୁଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଆଲୋଚନା ବେଶ୍‌ ସକରାତ୍ମକ ହୋଇଥିଲା ା ଦୀର୍ଘ ୧୯ ମାସ ଧରି ପ୍ରକଳ୍ପ ଡ୍ୟାମ କାମ ବନ୍ଦ ପଡିଥିବାରୁ ଏହି ବୈଠକ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିଥିଲା ା ତେବେ ପ୍ରକଳ୍ପ ପ୍ରଭାବିତ ଲୋକଙ୍କ ବହୁବିଧ ସମସ୍ୟା ଓ ଦାବିଗୁଡିକ ମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ୪ଟି ଦାବିକୁ କେନ୍ଦ୍ରୀଭୂତ କରି ଏହା ପୂରଣ କରିବା ଦିଗରେ ପ୍ରଶାସନ ଉଦ୍ୟମ କରୁ ବୋଲି ପ୍ରକଳ୍ପ ପ୍ରଭାବିତ ଲୋକେ ରାଜି ହୋଇଥିଲେ ା ଲୋୟର ସୁକ୍‌ତେଲ ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ଲଳିତ କୁମାର ନାୟକ ବୁଡଅଞ୍ଚଳବାସୀଙ୍କ ତରଫରୁ ଉକ୍ତ ୪ ଦଫା ଦାବି ପୂରଣ ସକାଶେ ଜିଲାପାଳଙ୍କୁ ଅବଗତ କରିଥିଲେ ା ଏହି ଦାବି ପୂରଣ କରି ଶୀଘ୍ର କିପରି ଡ୍ୟାମ କାମ ଆରମ୍ଭ କରାଯିବ ସେ ଉପରେ ଜିଲା ପ୍ରଶାସନ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଶୀଘ୍ର ପଦକ୍ଷେପ ନେବ ବୋଲି ଜିଲାପାଳ ଡାକୁଆ ପ୍ରତିଶ୍ରୁତି ଦେଇଥିଲେ ା
ବୁଡଅଞ୍ଚଳବାସୀଙ୍କ ତରଫରୁ ପ୍ରଦାନ କରାଯାଇଥିବା ୪ଦଫା ଦାବି ହେଲା ୨୦୧୩ ଭୂମି ଅଧିଗ୍ରହଣ ଆଇନ ବା ସରକାରଙ୍କ ଘୋଷିତ ସମତୁଲ ଏକ୍ସଗ୍ରାସିଆର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ, ବୁଡିଅଞ୍ଚଳର ସମସ୍ତ ଭୂମିହୀନଙ୍କ ଉଚିତ୍‌ ଥଇଥାନ୍‌, ୧ ଜାନୁୟାରୀ ୨୦୨୦ ସୁଦ୍ଧା ପ୍ରକଳ୍ପ ପ୍ରଭାବିତ ଅଞ୍ଚଳର ସମସ୍ତ ୧୮ ବର୍ଷରୁ ଉର୍ଦ୍ଧ୍ୱ ଯୁବତୀ, ଯୁବକଙ୍କୁ ପରିବାର ମାନ୍ୟତା ଦିଆଯିବା ଓ ସମସ୍ତ ବୁଡିଅଞ୍ଚଳବାସୀଙ୍କୁ ଘରଡିହ ପ୍ରଦାନ ା ଏହି ଦାବିଗୁଡିକ ଉପରେ ଜିଲାପାଳ ଡାକୁଆ ମତ ରଖିଥିଲେ ା ଆଗାମୀ ୪/୫ ଦିନ ମଧ୍ୟରେ ୨୦୧୩ ଆକ୍ଟ ସମତୁଲ ଏକ୍ସଗ୍ରାସିଆର ସମ୍ପୂର୍ଣ୍ଣ ବିବରଣୀ ପାୱାର ପଏଣ୍ଟ ଜରିଆରେ ପ୍ରଦାନ କରିବାକୁ ସୁକ୍‌ତେଲ ପ୍ରକଳ୍ପ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ା ଦ୍ୱିତୀୟ ଦାବି ଭୂମିହୀନମାନଙ୍କ ଉଚିତ୍‌ ଥଇଥାନ୍‌ କରାଯିବ ବୋଲି କହିଥିଲେ ା ତୃତୀୟ ଦାବି ୧ ଜାନୁୟାରୀ ୨୦୨୦ ସୁଦ୍ଧା ୧୮ ବର୍ଷ ପୂରଣ କରିଥିବା ସମସ୍ତ ଯୁବତୀ ଯୁବକଙ୍କୁ ପରିବାର ମାନ୍ୟତା ଦିଆଯିବା ନେଇ ସରକାରଙ୍କୁ ଶୀଘ୍ର ସୁପାରିଶ କରିବେ ବୋଲି କହିଥିଲେ ା ଚତୁର୍ଥରେ ସମସ୍ତ ବିିସ୍ଥାପିତଙ୍କୁ ଘରଡିହ ଯୋଗାଇବାକୁ ଦାବିକୁ ତର୍ଜମା କରି ପଦକ୍ଷେପ ନିଆଯିବ ବୋଲି ଜିଲାପାଳ କହିଥିଲେ ା କୁସ୍‌ମେଲ ମୌଜାରେ ବିସ୍ଥାପିତଙ୍କ ଥଇଥାନ ପାଇଁ ଚତୁର୍ଥ ବିସ୍ଥାପନ କଲୋନୀ ସକାଶେ ୩୬୨ ଏକର ଜମି ଚିହ୍ନଟ କରାଯାଇଛି ବୋଲି ସେ ସୂଚନା ଦେଇଥିଲେ ା ବିସ୍ଥାପିତଙ୍କ ବିଭିନ୍ନ ଦାବି ଓ ସମସ୍ୟାକୁ କେନ୍ଦ୍ରିତ କରି ୪ଟି ଦାବିରେ ସୀମିତ କରାଯାଇ ଆଲୋଚନା ହୋଇଥିବାରୁ ଏହା ଏକ ସକରାତ୍ମକ ଦିଗ ବୋଲି ଆଲୋଚନା ହୋଇଛି ା ଏହି ୪ ଦଫା ଦାବିପୂରଣ ହେଲେ ଖୁବ୍‌ ଶୀଘ୍ର ଡ୍ୟାମ ନିର୍ମାଣ କାମ ଆରମ୍ଭ ହେବ ବୋଲି ସମସ୍ତ ଆଶାବାଦୀ ହୋଇଥିଲେ ା କମିଟି ସଭାପତି ନାୟକ ଏହି ୪ ଦଫା ଦାବିପୂରଣ କରିବା ଉପରେ ଜିଲା ପ୍ରଶାସନ ଉଚିତ୍‌ ପଦକ୍ଷେପ ଗ୍ରହଣ କଲେ ବିସ୍ଥାପିତଙ୍କ ଆସ୍ଥାଭାଜନ ହୋଇପାରିବ ଓ ଏହା ପ୍ରକାରାନ୍ତରେ ଡ୍ୟାମ ନିର୍ମାଣ ପାଇଁ ଉଚିତ୍‌ ପଦକ୍ଷେପ ହେବ ବୋଲି ସେ କହିଛନ୍ତି ା ଜିଲାପାଳ ଡାକୁଆ ମଧ୍ୟ ଏଦିଗରେ ସକରାତ୍ମକ ଆଲୋଚନା ହୋଇଥିବା ସୂଚନା ଦେଇ ଆଗକୁ ସଫଳତା ମିଳିବ ବୋଲି ଆଶାବ୍ୟକ୍ତ କରିଥିଲେ ା ସଭାରେ ଏସ୍‌ପି ସନ୍ଦୀପ ମାଡକର, ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାତ ରଞ୍ଜନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ା