Categories: ଜାତୀୟ

ଲୋକ ସଭା ନିର୍ବାଚନ ଲାଗି ଏକ୍‌ଜିଟ ପୋଲ୍‌ ଠିକ୍‌ ନୁହେଁ

ନୂଆଦିଲ୍ଲୀ,୨୦।୫(ଆଇଏଏନ୍‌ଏସ୍‌): ସାତ ପର୍ଯ୍ୟାୟ ବିଶିଷ୍ଟ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ଏକ୍‌ଜିଟ ପୋଲ୍‌ (ବୁଥ୍‌ଫେରନ୍ତା ଜନମତ ସର୍ଭେ) ରିପୋର୍ଟ ପ୍ରକାଶ ପାଇଛି। ଏହାକୁ ଯଦି ବିଶ୍ୱାସକୁ ନିଆଯାଏ ତେବେ ନରେନ୍ଦ୍ର ମୋଦି ସରକାର ପୂର୍ଣ୍ଣସଂଖ୍ୟାଗରିଷ୍ଠତା ସହ ପୁଣି ଥରେ କ୍ଷମତାକୁ ଆସିବ। ତେବେ ଅତୀତରେ ଏଭଳି ସର୍ଭେ ରିପୋର୍ଟ ପ୍ରକୃତ ଫଳାଫଳ ସହ ମେଳ ଖାଇନାହିଁ।
୨୦୧୪ରେ ମୋଦି ଲହର ଯୋଗୁ ଏନ୍‌ଡିଏ ୩୩୬ ଆସନରେ ବିଜୟୀ ହେଲା। ତେବେ ଚାଣକ୍ୟକୁ ଛାଡିଲେ ଅନ୍ୟ କୌଣସି ଗଣମାଧ୍ୟମ ଏନ୍‌ଡିଏ ୩୦୦ ସଂଖ୍ୟା ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରି ନ ଥିଲେ। ଏନ୍‌ଡିଏ ୩୪୦ ଓ ଭାଜପା ୨୯୧ ଆସନରେ ଜିତିବ ବୋଲି ଚାଣକ୍ୟ କହିଥିଲା। ଏହା ବ୍ୟତୀତ ଅନ୍ୟ ସମସ୍ତ ଏଜେନ୍ସୀ ଭୋଟରଙ୍କ ମନୋଭାବ ଆକଳନ କରିବାରେ ବିଫଳ ହୋଇଥିଲେ। ଏବିପି-ନିଏଲସେନ୍‌ ଏନଡିଏକୁ ୨୮୧ ଆସନ ଦେଇଥିବାବେଳେ ଟାଇମ୍ସ ନାଓ ୨୪୯ ଦେଇଥିଲା। ସେହିପରି ଏନ୍‌ଡିଏ ୨୭୨-୨୮୦ ମଧ୍ୟରେ ସୀମିତ ରହିବ ବୋଲି ସିଏନ୍‌ଏନ୍‌-ଆଇବିଏନ୍‌-ସିଏସ୍‌ଡିଏସ୍‌ ଲୋକନୀତି ପୂର୍ବାନୁମାନ କରିଥିଲା।
ମଧ୍ୟ ଏକ୍‌ଜିଟ ପୋଲ୍‌ ରିପୋର୍ଟ ଭୁଲ୍‌ ପ୍ରମାଣିତ ହୋଇଥିଲା। ସେତେବେଳେ ଏନ୍‌ଡିଏ ବିଜୟୀ ହେବ ବୋଲି ପୂର୍ବାନୁମାନ କରାଯାଇଥିବାବେଳେ କଂଗ୍ରେସ ନେତୃତ୍ୱାଧୀନ ଉପା କ୍ଷମତା ବଜାୟ ରଖିବାକୁ ସକ୍ଷମ ହୋଇଥିଲା। ଏପରିକି ୨୦୦୪ରେ ଉପାକୁ ୧୪୫ ଆସନ ମିଳିଥିବାବେଳେ ୨୦୦୯ରେ ୨୦୬କୁ ବୃଦ୍ଧି ପାଇଥିଲା। ଏନ୍‌ଡିଏ ୧୯୭ ଆସନରେ ଜିତିବ ବୋଲି ଷ୍ଟାର ନ୍ୟୁଜ୍‌-ଏସି ନିଏଲସେନ ପୂର୍ବାନୁମାନ କରିଥିବାବେଳେ ଟାଇମ୍ସ ନାଓ ୧୮୩ ଦେଇଥିଲା। କିନ୍ତୁ ଏନଡିଏ ୧୫୯ ଆସନରେ ସୀମିତ ରହିଥିଲା।
ଅଟଳ ବିହାରୀ ବାଜପେୟୀ ପୁଣି ଥରେ କ୍ଷମତାକୁ ଫେରିବେ ଏବଂ ଏନ୍‌ଡିଏକୁ ୨୯୦ ଓ ୨୭୫ ଆସନ ମିଳିବ ବୋଲି ଯଥାକ୍ରମେ ଆଉଟଲୁକ୍‌-ଏମ୍‌ଡିଆର୍‌ଏ ଏବଂ ଷ୍ଟାର-ସି ଭୋଟର ପକ୍ଷରୁ ପୂର୍ବାନୁମାନ କରାଯାଇଥିଲା। ଆଜତକ୍‌ ଏବଂ ଏନ୍‌ଡିଟିଭି ମଧ୍ୟ ଏନ୍‌ଡିଏ ସପକ୍ଷରେ ପୂର୍ବାନୁମାନ ଲଗାଇଥିଲେ। ତେବେ ସମସ୍ତ ଏକ୍‌ଜିଟ ପୋଲ୍‌ ରିପୋର୍ଟକୁ ଭୁଲ୍‌ ସାବ୍ୟସ୍ତ କରି ଉପା କ୍ଷମତାକୁ ଫେରିଥିଲା।

Share