ଲୋକ ସଭାରେ ବିଭିନ୍ନ ପ୍ରସଙ୍ଗ ଉପସ୍ଥାପନ କଲେ ଓଡ଼ିଆ ଏମ୍‌ପି

ଭୁବନେଶ୍ୱର,୫।୭(ବ୍ୟୁରୋ) : ଲୋକ ସଭାରେ ଗୁରୁବାର ଏକାଧିକ ଓଡ଼ିଆ ଏମ୍‌ପି ବିଭିନ୍ନ ପ୍ରସଙ୍ଗ ଉପସ୍ଥାପନ କରିଛନ୍ତି। ବିଜେଡି ଟିକେଟ୍‌ରେ ଆସ୍କାରୁ ବିଜୟୀ ହୋଇଥିବା ପ୍ରମିଳା ବିଶୋଇ ପ୍ରଥମଥର ପାଇଁ ନିମ୍ନସଦନରେ କହିଥିବା ଦେଖିବାକୁ ମିଳିଥିଲା। ସ୍ବଳ୍ପ ସମୟ ମଧ୍ୟରେ ସେ ଅଙ୍ଗନୱାଡି କର୍ମଚାରୀଙ୍କ ଦରମା ବୃଦ୍ଧି ନେଇ ଦାବି କରିଥିଲେ। ପ୍ରମିଳା କହିଥିଲେ ଯେ, ମହିଳା ସଶକ୍ତୀକରଣ ଅତି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ୨୦୧୮ ସେପ୍ଟେମ୍ବରରେ କେନ୍ଦ୍ର ସରକାର ଆଶା ଓ ଅଙ୍ଗନୱାଡି କର୍ମଚାରୀଙ୍କ ଭତ୍ତା ୪୫୦୦ ଟଙ୍କାକୁ ବୃଦ୍ଧି କରିଥିଲେ। ଏତିକି ଅର୍ଥ ଯଥେଷ୍ଟ ନୁହେଁ। ତୃଣମୂଳସ୍ତରରେ କାମ କରୁଥିବା ମହିଳାଙ୍କୁ ଉଚିତ ସମ୍ମାନ ମିଳିବା ଦରକାର। ତେଣୁ ଅଙ୍ଗନୱାଡି କର୍ମଚାରୀଙ୍କ ଭତ୍ତା ୧୫,୦୦୦ ଟଙ୍କା ଓ ସହାୟକଙ୍କ ଭତ୍ତା ୧୨,୦୦୦ ଟଙ୍କାକୁ ବୃଦ୍ଧି କରିବାକୁ ସେ ତାଙ୍କ ଦାବି ଉପସ୍ଥାପନ କରିଥିଲେ। ଦାବି ଉପସ୍ଥାପନ ପରେ ରଥଯାତ୍ରା ଅବସରରେ ପ୍ରମିଳା ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ। ପ୍ରମିଳା ବକ୍ତବ୍ୟ ରଖିବା ପୂର୍ବରୁ ବାଚସ୍ପତି ଓମ୍‌ ବିର୍ଲା ତାଙ୍କୁ ଭୂୟଂସୀ ପ୍ରଶଂସା କରିଥିଲେ। ଲୋକ ସଭା ସର୍ବକନିଷ୍ଠ ସଦସ୍ୟା ତଥା କେନ୍ଦୁଝର ଏମ୍‌ପି ଚନ୍ଦ୍ରାଣୀ ମୁର୍ମୁ ମଧ୍ୟ ନିଜ ଅଞ୍ଚଳ ସମସ୍ୟା ଉପସ୍ଥାପନ କରିଥିଲେ। ଚନ୍ଦ୍ରାଣୀ କହିଥିଲେ ଯେ, କେନ୍ଦୁଝର ଅଞ୍ଚଳରେ ବାସ କରୁଥିବା ଆଦିବାସୀମାନେ ମୁଖ୍ୟତଃ ଜଙ୍ଗଲ ଉପରେ ନିର୍ଭରଶୀଳ। ଖଣି କାର୍ଯ୍ୟ ହେଉଥିବାରୁ ସେମାନଙ୍କୁ ବିସ୍ଥାପିତ ହେବାକୁ ପଡୁଛି। ତେଣୁ ସ୍ଥାନୀୟ ଅଞ୍ଚଳରେ ରାଉରକେଲା ପରି ଇସ୍ପାତ କାରଖାନା ପ୍ରତିଷ୍ଠା ହୋଇ ପାରିଲେ, ସେମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରନ୍ତା। ଏହା ଦ୍ୱାରା କେନ୍ଦୁଝର ସମେତ ଅନ୍ୟ ଜିଲାବାସୀ ମଧ୍ୟ ଉପକୃତ ହୋଇପାରନ୍ତେ ବୋଲି ଚନ୍ଦ୍ରାଣୀ କହିଛନ୍ତି। ଯାଜପୁର ଏମ୍‌ପି ଶର୍ମିଷ୍ଠା ସେଠୀ ରେଳବିଭାଗ ପ୍ରସଙ୍ଗ ଗୃହରେ ଉଠାଇଛନ୍ତି। ଶର୍ମିଷ୍ଠା କହିଛନ୍ତି ଯେ, ଯାଜପୁର-କେନ୍ଦୁଝର ରୋଡ୍‌ରୁ ଧାମରା ବନ୍ଦର ପର୍ଯ୍ୟନ୍ତ ରେଳପଥ ନିର୍ମାଣ କରାଯାଉ। ଏହି ରେଳପଥ ଯାଜପୁର ଏବଂ ଆରଡି ଭାୟା ଦେଇ ଯାଉ। ୯୫ କି.ମି. ଏହି ରେଳପ୍ରକଳ୍ପ ସ୍ଥାନୀୟ ଅଞ୍ଚଳର ଦୀର୍ଘଦିନର ଦାବି। ତେଣୁ କେନ୍ଦ୍ର ସରକାର ଏହାକୁ ଗୁରୁତ୍ୱର ସହ ବିଚାର କରନ୍ତୁ। ଅନ୍ୟପକ୍ଷରେ କଂଗ୍ରେସରୁ ବିଜୟୀ ହୋଇଥିବା କୋରାପୁଟ ଏମ୍‌ପି ସପ୍ତଗିରି ଉଲ୍ଲାକା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ବିନା ପ୍ରଫେସରରେ ଚାଲୁଥିବା ନେଇ ମାନବସମ୍ବଳ ମନ୍ତ୍ରଣାଳୟର ହସ୍ତକ୍ଷେପ ଲୋଡି ଚିଠି ଲେଖିଛନ୍ତି।