ଲୋକାଭିମୁଖୀ ହେବ ଶ୍ରୀଜଗନ୍ନାଥ ସଂସ୍କୃତି

ପୁରୀ ଅଫିସ, ୭ା୯: ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଅଭିଯାନ ଆରମ୍ଭ ହୋଇଛି। ଏଥିଲାଗି ଶୁକ୍ରବାର ଶ୍ରୀନଅରରେ ଶ୍ରୀଜଗନ୍ନାଥ ତତ୍ତ୍ବ ଗବେଷଣା ପ୍ରକାଶନ ଓ ପ୍ରସାର ଉପ ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କିପରି ଆହୁରି ଅଧିକ ମାତ୍ରାରେ ହୋଇପାରିବ ଏବଂ ଠିକ୍‌ ଢଙ୍ଗରେ ହେବ ସେଥିଲାଗି ୬ଟି ସବ୍‌ କମିଟି ଗଠନ କରାଯାଇଛି। ଏହି ସବ୍‌ କମିଟିଗୁଡ଼ିକ ହେଲା ଐକ୍ୟ ସ୍ଥାପନା, ପ୍ରକାଶନୀ, ଅଡିଓ ଭିଡ଼ିଓ, ସ୍ବାଧ୍ୟାୟ, ଲୀଲାକ୍ଷେତ୍ର ଓ ସଦ୍‌ଗ୍ରନ୍ଥ।
ମହାପ୍ରଭୁଙ୍କ ବିଭିନ୍ନ ସ୍ଥାନରେ ଲୀଳାକ୍ଷେତ୍ର ରହିଛି। ଯେଉଁଠିକୁ ବିଭିନ୍ନ ସମୟରେ ମହାପ୍ରଭୁ ଯାଇଥିଲେ। ସେହି ସ୍ଥାନଗୁଡ଼ିକର କିପରି ବିକାଶ ହୋଇପାରିବ ଏବଂ ଲୋକମାନେ ଏହି ଲୀଳାକ୍ଷେତ୍ର ସମ୍ପର୍କରେ ସବିଶେଷ ଧାରଣା ପାଇବେ ସେଥିଲାଗି ଲୀଳାକ୍ଷେତ୍ର ସବ୍‌ କମିଟି କାମ କରିବ। ସେହିପରି ଶ୍ରୀମନ୍ଦିର ନିକଟରେ ଭକ୍ତମାନଙ୍କୁ ଆଧ୍ୟାତ୍ମିକ ଭାବ ଧାରାରେ ଉଦ୍‌ବୁଦ୍ଧ କରିବା ଲାଗି ପ୍ରତିଦିନ ବେଦପାଠ ଓ ପ୍ରବଚନ କାର୍ଯ୍ୟକ୍ରମ ହେବ। ଏଥିଲାଗି ସ୍ବାଧ୍ୟାୟ କମିଟି କାର୍ଯ୍ୟ କରିବ। ଅଡିଓ ଭିଡ଼ିଓ ସବ୍‌ କମିଟି ପାରମ୍ପରିକ ଭଜନ, ଜଣାଣ ଓ ମହାପ୍ରଭୁଙ୍କ ବିଭିନ୍ନ ଲୀଳା, କାହାଣୀ ପାଇଁ କାମ କରିବ। ଏଥିରେ ରେକର୍ଡିଂ ମଧ୍ୟ କରାଯିବ। ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ସମ୍ପର୍କୀତ ବିଭିନ୍ନ ପୁସ୍ତକ ଓ ପତ୍ରପତ୍ରିକା ଲାଗି ପ୍ରକାଶନୀ ସବ୍‌ କମିଟି ଗଠନ କରାଯାଇଛି। ଏହାର ସଦସ୍ୟମାନେ ଯେପରି ନିର୍ଭୁଲ ଭାବେ ପୁସ୍ତକ ଏବଂ ପତ୍ରପତ୍ରିକା ପ୍ରକାଶ କରାଯିବ ତାହା ଉପରେ ଗୁରୁତ୍ୱ ଦେବେ। ଶ୍ରୀଜଗନ୍ନାଥ ସଂସ୍କୃତି, ପରମ୍ପରା, ଶ୍ରୀମନ୍ଦିର ସମ୍ପର୍କୀତ ବିଭିନ୍ନ ପୁସ୍ତକକୁ ନେଇ ଲାଇବ୍ରେରୀକୁ ସମୃଦ୍ଧ କରାଯିବ। ସଦ୍‌ଗ୍ରନ୍ଥ ସବ୍‌ କମିଟି ଏହାର ଦାୟିତ୍ୱରେ ରହିବ। ତେବେ ଐକ୍ୟ ସ୍ଥାପନା ସବ୍‌ କମିଟିର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି। ବିଭିନ୍ନ ସ୍ଥାନରେ ଅଦିନରେ ରଥଯାତ୍ରା କରାଯାଉଛି। ସେହିପରି ଅନ୍ୟାନ୍ୟ ସ୍ଥାନରେ ଠାକୁରଙ୍କ ବେଶ, ସେବାପୂଜା କରାଯାଉଥିବା ବେଳେ ବିଧି ମୁତାବକ କରାଯାଉ ନାହିଁ। ତେଣୁ ମହାପ୍ରଭୁଙ୍କ ସେବାପୂଜା ଠିକ୍‌ ପ୍ରକାରେ ପରମ୍ପରା ଅନୁଯାୟୀ ଏବଂ ବିଧି ମୁତାବକ କିପରି ସର୍ବତ୍ର କରାଯିବ ତାହା ଉପରେ ଐକ୍ୟ ସ୍ଥାପନା କମିଟି ଫୋକସ ରଖିବ। ଲୁଧିଆନାରେ ଗତବର୍ଷ ଅଦିନରେ ରଥଯାତ୍ରା କରାଯାଇଥିଲା। ଏ ନେଇ ସମ୍ପୃକ୍ତ ମନ୍ଦିର କମିଟିକୁ ଅବଗତ କରାଯାଇଥିଲା। ହେଲେ ଚଳିତବର୍ଷ ମଧ୍ୟ ସେମାନେ ଅଦିନରେ ରଥଯାତ୍ରା କରିଛନ୍ତି। ତେଣୁ ଏହାର କିପରି ପୁନରାବୃତ୍ତି ନ ହେବ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ରଥଯାତ୍ରାକୁ ବିଧି ମୁତାବକ ନିର୍ଦ୍ଦିଷ୍ଟ ଦିନରେ କରିବା ଲାଗି ଏହି ସବ୍‌ କମିଟି କାମ କରିବ ବୋଲି ବୈଠକରେ ଆଲୋଚନା କରାଯାଇଛି।
୨/୩ ବର୍ଷ ଧରି ଏହା ପରିକଳ୍ପନା କରାଯାଇଥିଲା। କିନ୍ତୁ ଏହା ଅଗ୍ରଗତି କରିପାରି ନ ଥିଲା। ତେଣୁ ଏହାକୁ ତ୍ୱରାନ୍ବିତ କରିବା ଲାଗି ଉକ୍ତ ବୈଠକରେ ନିଷ୍ପତ୍ତି ହୋଇଛି। ବୈଠକରେ ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର, ଜିଲାପାଳ ବଲୱନ୍ତ ସିଂଙ୍କ ସମେତ ପରିଚାଳନା କମିଟି ସଦସ୍ୟ, ମୁକ୍ତି ମଣ୍ଡପ ପଣ୍ଡିତ, ଗବେଷକ, ପ୍ରଫେସର, ବୁଦ୍ଧିଜୀବୀ, ମଠ ମହନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତ୍ୟେକ ସବ୍‌ କମିଟରେ ୩ରୁ ୫ ଜଣଙ୍କୁ ସଦସ୍ୟ ରଖାଯାଇଛି।