Categories: ଜାତୀୟ

ଲୋକସଭାରେ ହଙ୍ଗାମା ପରେ କଂଗ୍ରେସର ୭ଏମ୍‌ପିଙ୍କୁ ନିଲମ୍ବିତ କଲେ ବାଚସ୍ପତି

ନୂଆଦିଲ୍ଲୀ,୫।୩: ସଂସଦରେ ଲଗାତାର ହେଉଥିବା ହଟ୍ଟଗୋଳ ଯୋଗୁ ଲୋକ ସଭା ବାଚସ୍ପତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଗୁରୁବାର କଂଗ୍ରେସର ୭ଜଣ ଏମ୍‌ପିଙ୍କୁ ଲୋକ ସଭା ବାଚସ୍ପତି ନିଲମ୍ବିତ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗୁରୁବାର ଗୃହରେ ବଜେଟ ଅଧିବେଶନ ଚାଲିଥିବା ବେଳେ ଉକ୍ତ ଏମ୍‌ପି ବାଚସ୍ପତିଙ୍କ ନିକଟକୁ ଯାଇ ପୋଡିୟମ୍‌ରେ ହୋହାଲ୍ଲା କରି ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଏଥିସହ ପୋଷ୍ଟର ଦେଖାଇ ବିରୋଧ ପ୍ରଦର୍ଶନ କରିଥିଲେ। ଗୃହରେ ଶାନ୍ତି ରକ୍ଷା କରିବା ପାଇଁ ବାଚସ୍ପତି ସେମାନଙ୍କୁ ବୁଝାଇବା ସହ ଅଟକାଇବାକୁ ଚେଷ୍ଟା କରିଥିଲେ। ହେଲେ ତାଙ୍କ କଥାକୁ କେହି କର୍ଣ୍ଣପାତ କରି ନ ଥିଲେ। ଫଳରେ ଶାନ୍ତି ରକ୍ଷା ପାଇଁ ବାଚସ୍ପତି ଓମ୍‌ ବିର୍ଲା ଗୌରବ ଗୋଗୋଇ, ଟିଏମ୍‌ ପ୍ରଥପନ, ଡିନ୍‌ କୁରିକୋସ୍‌, ଆର୍‌. ଉନ୍ନିଥନ୍‌, ମାନିକମ୍‌ ଟାଗୋର, ବେନି ବେନାନ ଓ ଗୁରଜିତ ସିଂହ ଓଜଲାଙ୍କୁ ନିଲମ୍ବିତ କରିଛନ୍ତି। ସୂଚନାଯୋଗ୍ୟ, ଗତ ୩ ଦିନ ଧରି ନିଲମ୍ବିତ ହୋଇଥିବା ଏମ୍‌ପି ଗୃହରେ ହୋହାଲ୍ଲା କରିବା ସହ କାର୍ଯ୍ୟରେ ବାଧା ପକାଉଥିଲେ। ଫଳରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ନ ହୋଇପାରି ଗୃହକୁ ବାରମ୍ବାର ମୁଲତବି ରଖାଯାଉଥିଲା। ଏଥିଯୋଗୁ ଗୃହର ଅନ୍ୟ ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରିଥିଲେ।

Share