ଲୋକଲଜ୍ଜା ସହି ନ ପାରି ଯୁବତୀଙ୍କ ଆତ୍ମହତ୍ୟା

ନାଉଗାଁ,୮ା୧୧(ସ୍ବ.ପ୍ର.): ଜଗତସିଂହପୁର ଜିଲା ନାଉଗାଁ ଥାନା ଅଞ୍ଚଳର ଜଣେ ଯୁବତୀ ଲୋକଲଜ୍ଜା ସହି ନ ପାରି ଗୁରୁବାର ରଶିଲଗାଇ ଆତ୍ମହତ୍ୟା କରିଛନ୍ତି। ଏନେଇ ଯୁବତୀଙ୍କ ମା’ ତାଙ୍କ ଝିଅକୁ ହଇରାଣ କରୁଥିବା ଯୁବକଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଏକ ଅପମୃତ୍ୟୁ ମାମଲା ନଂ-୧୬୫/୧୯ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଯୁବତୀଙ୍କ ମା’ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ତିରୁଣା ପଞ୍ଚାୟତ ତେଣ୍ଟୋଇ ଗ୍ରାମର ଦୀପକ ବେହୁରା ନାମକ ଯୁବକ ବିଭିନ୍ନ ସମୟରେ ତାଙ୍କ ଝିଅକୁ ହଇରାଣ କରୁଥିଲେ। ଉଭୟ ଦମ୍ପତି ମଜୁରୀ ଲାଗିବାକୁ ଦୈନିକ ପଳାଉଥିବାରୁ ସମ୍ପୃକ୍ତ ଯୁବକ ଆସି ଯୁବତୀଙ୍କୁ ହଇରାଣ କରୁଥିଲେ। ପରେ ଘଟଣା ସମ୍ପର୍କରେ ଯୁବତୀ ଘର ଲୋକଙ୍କୁ କହିଥିଲେ। ଜାନୁୟାରୀ ୨୦୧୮ରେ ଏସଂକ୍ରାନ୍ତରେ ପରିବାର ପକ୍ଷରୁ ଗାରୋଇ ଫାଣ୍ଡି ଓ ପରେ ନାଉଗଁା ଥାନାରେ ଅଭିଯୋଗ କରାଯାଇଥିଲା। ମାତ୍ର ସେତବେଳେ ଥାନା ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଗଲା ନାହିଁ। ଫଳରେ ଗ୍ରାମବାସୀ ବୈଠକ କରି ଏହାର ସମାଧାନ କରିଥିଲେ। ଯୁବକ ଏପରି ଆଉ କରିବେ ନାହିଁ ବୋଲି ଲିଖିତଭାବେ ଜଣାଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେ ପୁଣି ଯୁବତୀଙ୍କୁ ବିଭିନ୍ନ ସମୟରେ ହଇରାଣ କରିବା ଆରମ୍ଭ କରି ଦେଇଥିଲେ। ଏପରି କି ଯୁବତୀଙ୍କ ଏକ ଅଶ୍ଳୀଳ ଫଟୋ ଉଠାଇ ତାଙ୍କ ଘର କାନ୍ଥରେ ଲଗାଇଥିଲେ। ଏହାଦେଖି ଯୁବତୀ ଓ ତାଙ୍କ ପରିବାର ଆତଙ୍କିତ ହୋଇ ପଡ଼ିଥିଲେ। ଫଳରେ ଯୁବତୀଙ୍କୁ ପରିବାର ଲୋକେ ନେଇ ଅନ୍ୟତ୍ର ରଖିଥିଲେ। ସେଠାରେ ମଧ୍ୟ ସମ୍ପୃକ୍ତ ଯୁବକ ପହଞ୍ଚତ୍ ହଇରାଣ କରିବାକୁ ଲାଗିଥିଲେ। ତେଣୁ ସେଠାରୁ ପରିବାର ଲୋକେ ଯୁବତୀଙ୍କୁ ଆଣି ବାହାଘର କରିଦେବାକୁ ଉଦ୍ୟମ କରିଥିଲେ। ଏପରି ଘଟଣା ବିଭିନ୍ନ ସମୟରେ ଘଟୁଥିବାରୁ ଯୁବତୀ ମାନସିକ ଚାପରେ ଥିଲେ। ଗୁରୁବାର ସକାଳେ ଘରର କବାଟ ବନ୍ଦ କରି ରଶି ଲଗାଇ ଆମତ୍ହତ୍ୟା କରିଥିଲେ। ଝିଅ ଭିତରୁ କବାଟ ବନ୍ଦ କରି ଦେଇଥିବାରୁ ପରିବାର ଲୋକେ କାବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରିଥିଲେ। ସେତେବେଳେକୁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଅଭିଯୋଗ ପାଇବା ପରେ ଥାନାଧିକାରୀ ପ୍ରଜ୍ଞା ରିତାମ୍ବର କର ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଏ ସମ୍ପର୍କରେ ଥାନାଧିକାରୀ କର କହିଛନ୍ତି, ଘଟଣାର ତଦନ୍ତ ଆରମ୍ଭ ହୋଇଛି। ବ୍ୟବଚ୍ଛେଦ ରିପୋର୍ଟ ଓ ତଦନ୍ତ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ। ଏହାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।