ଲୋକବାଦ୍ୟ ପରମ୍ପରା ପଶ୍ଚିମ ଓଡିଶାର ପରିଚୟ

ସୋନପୁର,୧୯।୧(ନି.ପ୍ର.) ପଶ୍ଚିମ ଓଡିଶାର ସଂସ୍କୃତି, ଲୋକବାଦ୍ୟ ଓ ପରମ୍ପରା ମହାନ। ଏଠାରେ ସମାଜ ଭିତ୍ତିକ ଲୋକବାଦ୍ୟ ରହିଛି। ପର୍ବ ପର୍ବାଣୀ ଅନୁସାରେ ବାଦ୍ୟର ପରିକଳ୍ପନା। ତେବେ ପ୍ରଥମେ ବାଦ୍ୟ ପରେ ପରମ୍ପରା ଆରମ୍ଭ ହୋଇଛି ଏବଂ ବାଦ୍ୟ ଅନୁସାରେ ନୃତ୍ୟର ନାମକରଣ। ଲୋକବାଦ୍ୟ ପରମ୍ପରା ହେଉଛି ପଶ୍ଚିମ ଓଡିଶାର ସ୍ବତନ୍ତ୍ର ପରିଚୟ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି। ସୁବର୍ଣ୍ଣପୁର ଜିଲା ପୁସ୍ତକ ଓ ସାରସ୍ବତ ମେଳା ଇଙ୍କ୍‌ଫେଷ୍ଟ୍‌ର ଦ୍ୱିତୀୟ ସନ୍ଧ୍ୟାର ପ୍ରଥମ କଥାଚକ୍ରରେ ପଶ୍ଚିମ ଓଡିଶାର ଲୋକବାଦ୍ୟ ପରମ୍ପରା ଶୀର୍ଷକ ବିଷୟ ବସ୍ତୁ ଥିଲା। ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଓ ଲେଖକ ଡ. ଅଟଳ ବିହାରୀ ପଣ୍ଡା ବିଶିଷ୍ଟ ଅତିଥିଭାବେ ଯୋଗଦେଇ କହିଥିଲେ ଯେ, ପଶ୍ଚିମ ଓଡିଶା ହେଉଛି କଳାର ସ୍ଥାନ। ଏଠାରେ ବିଭିନ୍ନ ପ୍ରକାର ଲୋକକଳା ଓ ପରମ୍ପରା ଦେଖିବାକୁ ମିଳେ। ପରମ୍ପରା, ପର୍ବପର୍ବାଣୀ ସହିତ ଲୋକବାଦ୍ୟର ସ୍ବତନ୍ତ୍ରତା ରହିଛି। ଏହା ଖୁବ୍‌ ପ୍ରାଚୀନ ବୋଲି ଡ. ପଣ୍ଡା କହିଥିଲେ। ଗୁରୁଶ୍ରୀ ଡ. ଘାସିରାମ ମିଶ୍ର ଆଲୋଚକଭାବେ ଯୋଗଦାନ କରି ବାଦ୍ୟଯନ୍ତ୍ରର ଆବଶ୍ୟକତା ଓ ପ୍ରାଚୀନ କାଳରେ ଆଦିମ ଅଧିବାସୀ କିଭଳି ଧ୍ୱନି ସୃଷ୍ଟି କରୁଥିଲେ ସେ ସମ୍ପର୍କରେ ଆଲୋଚନା କରିଥିଲେ। ଡ. ମିଶ୍ର ଆହୁରି କହିଥିଲେ ସ୍ଥାନୀୟ ଅଞ୍ଚଳରେ ଅନେକ ପ୍ରକାର ଲୋକବାଦ୍ୟ ରହିଛି। ପୁରାତନ ସମୟରୁ ସ୍ଥାନୀୟ ଅଧିବାସୀ ଏହି ପରମ୍ପରାକୁ ବଞ୍ଚାଇ ରଖିଛନ୍ତି। ଲୋକବାଦ୍ୟ ଗବେଷକ ରବିରତ୍ନ ସାହୁ ଅନ୍ୟତମ ଆଲୋଚକଭାବେ ଯୋଗଦେଇ ଲୋକବାଦ୍ୟର ପ୍ରକାର, ଶବ୍ଦ ଓ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଅଞ୍ଚଳର ଲୋକବାଦ୍ୟ ପରମ୍ପରାକୁ କିଭଳି ଉଜ୍ଜ୍ୱିବୀତ କରାଯାଇ ପାରିବ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବ ସେ ସମ୍ପର୍କରେ ନିଜର ମତ ରଖିଥିଲେ। ନାଟ୍ୟଶ୍ରୀ ଗଦାଧର ବାରିକ ସଭାରେ ଅଧ୍ୟକ୍ଷତା କରିଥିଲେ। ଶ୍ୟାମା ଓଁ ମିଶ୍ର ସଭାକୁ ସଂଯୋଜନା କରିଥିଲେ। ଏହି ଅବସରରେ ଶିକ୍ଷାବିତ୍‌ ବ୍ରଜମୋହନ ଦାନୀଙ୍କ କବିତା ସଙ୍କଳନ ସମ୍ପର୍କର ଚିତ୍ରମାଳାକୁ ଅତିଥି ବୃନ୍ଦ ଉନ୍ମୋଚନ କରିଥିଲେ। ଲକ୍ଷ୍ମୀନାରାୟଣ ସହୁ ଧନ୍ୟବାଦ ପ୍ରଦାନ କରିଥିଲେ।