ଲୋକନାଥଙ୍କୁ ଲାଗି ହେଲା ମକର ଚୂଳ

ପୁରୀ ଅଫିସ, ୧୫ା୧: ଶ୍ରୀଜଗନ୍ନାଥ ମନ୍ଦିରର ନୀତି ସହିତ ଶ୍ରୀଲୋକନାଥ ମନ୍ଦିର ନୀତି ଜଡ଼ିତ ରହିଛି। ପ୍ରସିଦ୍ଧ ମକର ପର୍ବ ଅବସରରେ ଲୋକନାଥ ଶୈବପୀଠରେ ମକର ପର୍ବ ପାଳିତ ହୋଇଛି। ଧନୁ ସଂକ୍ରାନ୍ତି ଦିନ ମା’ ପାର୍ବତୀ ବାପଘରକୁ ଯାଇଥିଲେ। ମକର ସଂକ୍ରାନ୍ତିରେ ମହାଦେବଙ୍କ ପାଇଁ ଆଭୂଷଣ ଓ ବ୍ୟଞ୍ଜନ ଧରି ଫେରିଥିଲେ। ଏହି ପରମ୍ପରା ସ୍ବରୂପ ବାଲିସାହିସ୍ଥିତ ବରାହୀ ମନ୍ଦିରରୁ ୨ଟି ମକର ଚୂଳ ଓ ମୁଅଁା ଲୋକନାଥଙ୍କ ପାଖକୁ ଯାଇଥିଲା। ମଧ୍ୟାହ୍ନ ଧୂପ ଏବଂ ବଡ଼ସିଂହାର ବେଶରେ ଠାକୁରଙ୍କୁ ମକର ଚୂଳ ଲାଗି କରାଯାଇଥିଲା। ସେହିପରି ବରାହୀଙ୍କ ପୀଠରୁ ଯାଇଥିବା ମକର ମୁଅଁା ଲୋକନାଥଙ୍କ ନିକଟରେ ଭୋଗ ହୋଇଥିଲା। ପଡ଼ିଯାତ୍ରା ଯୋଗାଣିଆ ଏବଂ ମନ୍ଦିର ପୂଜକ, ପାଳିଆ, ଘଣ୍ଟୁଆ, କାହାଳିଆଙ୍କ ଦ୍ୱାରା ଏହି କାର୍ଯ୍ୟ ସମ୍ପାଦିତ ହୋଇଥିଲା।