Categories: ଜାତୀୟ

ଲେହରେ ଭାରତୀୟ ଯୁଦ୍ଧବିମାନ

ନୂଆଦିଲ୍ଲୀ,୨୦ା୬: ଗଲ୍‌ଓ୍ବାନ ଉପତ୍ୟକାରେ ଚାଇନା ସୈନ୍ୟଙ୍କ ଆକ୍ରମଣରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ପୂର୍ବ ଲଦାଖ ସୀମାରେ ଉତ୍ତେଜନା ବୃଦ୍ଧି ପାଇଛି। ବାୟୁସେନା ମୁଖ୍ୟ ମାର୍ଶାଲ ଆର୍‌.କେ.ଏସ୍‌. ଭଦୁରିଆ ଲଦାଖକୁ ଦୁଇଦିନିଆ ଗସ୍ତରେ ଯାଇ ସେଠାରେ ଭାରତୀୟ ବାୟୁସେନାର ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ବୁଧବାର ସେ ଲେହ ଏୟାରବେସ୍‌ ଏବଂ ଗୁରୁବାର ଶ୍ରୀନଗର ଏୟାରବେସ୍‌ ଗସ୍ତ କରିଥିଲେ। ପୂର୍ବ ଲଦାଖ ନିକଟବର୍ତ୍ତୀ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ଚାଇନା ୧୦ ହଜାରରୁ ଅଧିକ ସୈନ୍ୟ ଠୁଳ କରିବା ସହ ଆକ୍ରମଣାତ୍ମକ ସ୍ଥିତିରେ ଥିବାରୁ ଏହାର ମୁକାବିଲା ପାଇଁ ସବୁ ପ୍ଲାଟଫର୍ମର ପ୍ରସ୍ତୁତିକୁ ଯାଞ୍ଚ କରିଥିଲେ ବାୟୁସେନା ମୁଖ୍ୟ।
ଶୁକ୍ରବାର ଭାରତୀୟ ବାୟୁସେନାର ଯୁଦ୍ଧବିମାନ, ନିକଟରେ କିଣାଯାଇଥିବା ଆପାଚେ ଚୋପର୍‌ ସମେତ ଲଢ଼ୁଆ ହେଲିକପ୍ଟର ଲେହ ଉପରେ ଉଡ଼ୁଥିବା ଦେଖାଯାଇଛି। ସୁଖୋଇ-୩୦ଏମ୍‌କେଆଇ, ମିରାଜ୍‌୨୦୦୦ ଏବଂ ଜାଗୁଆର ଯୁଦ୍ଧବିମାନକୁ ଆଡଭାନ୍ସ ପୋଜିଶନ୍‌କୁ ନିଆଯାଇଛି, ଯେଉଁଠୁ ସେମାନେ ଆଖିପିଛୁଳାକେ କାର୍ଯ୍ୟାନୁଷ୍ଠାନ ପାଇଁ ଉଡ଼ାଣ କରିପାରିବେ। ସ୍ଥଳସେନା ପ୍ରସ୍ତୁତ ରହିଥିବା ଅଞ୍ଚଳର ଖୁବ୍‌ ନିକଟରେ ଆପାଚେ ଲଢ଼ୁଆ ହେଲିକପ୍ଟର ପ୍ରସ୍ତୁତ ହୋଇ ରହିଛି।
ଚାଇନା ବାୟୁସେନାର ଉପସ୍ଥିତି ସମ୍ପର୍କରେ ଭାରତୀୟ ବାୟୁସେନା କୌଣସି ସୂଚନା ଦେଇନାହିଁ। ତେବେ ସାଟେଲାଇଟ୍‌ ଚିତ୍ରରୁ ଯାହା ଜଣାପଡୁଛି, ସେମାନେ ପୋଙ୍ଗଓଙ୍ଗ ହ୍ରଦଠାରୁ ଅଳ୍ପ ଦୂରରେ ତିବ୍ବତର ନଗରୀ ବାୟୁସେନା ଘାଟିରେ ଦ୍ରୁତ ଭିତ୍ତିଭୂମି ନିର୍ମାଣ ଚଳାଇଛନ୍ତି। ଚାଇନା ତିବ୍ବତରେ ଅନେକ ବାୟୁସେନା ଘାଟି ସମେତ ପାକ୍‌ ଅଧିକୃତ କଶ୍ମୀରରେ ଥିବା ସ୍କର୍ଦୁ ଏୟାର ବେସ୍‌କୁ ବ୍ୟବହାର କରୁଛି। ଭାରତୀୟ ବାୟୁସେନା ସ୍କର୍ଦୁ ଘାଟି ଉପରେ ନଜର ରଖିଥିଲେ ହେଁ ସେଠାରେ ଚାଇନା ଯୁଦ୍ଧବିମାନ ଥିବା ନେଇ ସ୍ପଷ୍ଟ ସୂଚନା ମିଳିନାହିଁ।

Share